ହିନ୍ଦୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ହିନ୍ଦୀ ଦିବସ ପାଳନ ପାଇଁ ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ, କେନ୍ଦ୍ରାପଡା ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗୁଲନଗର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ଅକ୍ଷୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ମହେଶ୍ୱର ସାହୁ ରାଜ୍ୟ ସରକାର ହିନ୍ଦୀ କ୍ୟାଡର ନିୟମକୁ ସଂଶୋଧନ କରି ହିନ୍ଦୀ ଶିକ୍ଷକଙ୍କୁ କ୍ୟାଡର ଭୁକ୍ତ କରିବା ପାଇଁ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ବୈଠକରେ ସରକାରଙ୍କ ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ କାର୍ଯ୍ୟରତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନେ ୪୮ବର୍ଷରେ ପ୍ରବେଶ ହେବା ଦିନରୁ ଉଚ୍ଚ ହାରରେ ଦରମା ଲାଗୁ ନକରିବା , ସୁପ୍ରିମକୋର୍ଟ ଓ ହାଇକୋର୍ଟ ନିର୍ଦେଶନାମା ଅନୁସାରେ ପାଖାପାଖି ୨ଶହ ଶିକ୍ଷକଙ୍କୁ ନ୍ୟାୟ ମିଳିବା ପରେ ସମାନ ଯୋଗ୍ୟତା ଥାଇ ରାଜ୍ୟର ଅନ୍ୟ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ପରିଣତ ବୟସରେ ବାରମ୍ବାର କୋର୍ଟର ଦ୍ୱାରସ୍ତ କରାଇ ହଇରାଣ କରୁଥିବା କଥାକୁ ବୈଠକରେ ନିନ୍ଦା କରାଯିବା ସହିତ ସରକାରଙ୍କୁ ଏ ସମସ୍ୟାର ସମାଧାନ ପାଇଁ ନିବେଦନ କରାଯାଇଥିଲା । ଶେଷରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ହିନ୍ଦୀ ଦିବସକୁ ଆଡମ୍ବର ସହକାରେ ସେପ୍ଟେମ୍ବର ୨୦ତାରିଖରେ ପାଳନ କରାଯିବା ପାଇଁ ସଙ୍ଘ ପକ୍ଷରୁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ବୈଠକରେ ଯୁଗ୍ମ ସମ୍ପାଦକ ନିର୍ମଳ କୁମାର ସ୍ୱାଇଁ, ଉପଦେଷ୍ଟା ବଙ୍କିମ ବିହାରୀ ମହାନ୍ତି, ମହେନ୍ଦ୍ର କୁମାର ମଲ୍ଲିକ, ଉପସଭାପତି ସିଦ୍ଧାର୍ଥଶଙ୍କର ନାୟକ, ଲାଲବାବୁ ଖାଁ, ଅନ୍ନପୂର୍ଣ୍ଣା ବିହାରୀ, ସପନ କୁମାର ବେହେରା, ଧିରେନ୍ଦ୍ର କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କୋଷଧ୍ୟକ୍ଷ ଅଭୟ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


