ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ନିର୍ବାଚନ ସ୍ଥଗିତ କୁ କେନ୍ଦ୍ରକରି ଉତ୍ତେଜନା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ଉପ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଗୁରୁବାର ତାରିଖ ଧାର୍ଯ୍ୟ ହୋଇଥିବା ବେଳେ କିଛି ସମିତି ସଭ୍ୟା ସଭ୍ୟ ନିଖୋଜ ହୋଇଯାଇଥିବା ଦୃଷ୍ଟି ରୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ନିର୍ବାଚନ କାର୍ଯ୍ୟ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ପ୍ରଶାସନ ପକ୍ଷରୁ ନିର୍ବାଚନ ସ୍ଥଗିତ କରାଯାଇଥିବା ଘୋଷଣା କରାଯିବା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ଙ୍କ ସମର୍ଥକ ମାନେ ବ୍ୟାରିକେଡ଼ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟ ମଧ୍ୟରେ ଧସେଇ ପଶିଥିଲେ। ପ୍ରଶାସନ ବିରୋଧରେ ନାରା ବାଜି କରିଥିଲେ। ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୩ ଘଣ୍ଟା ବ୍ୟାପୀ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଦିଗପହଣ୍ଡି – ଆସିକା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ଥିଲା। ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ଗତ ଜୁନ୍ ୧୧ ତାରିଖରେ ଅକାଳ ବିୟୋଗ ପରେ ଅଧ୍ଯକ୍ଷା ପଦ ଖାଲିପଡ଼ିଥିଲା। ଅଧ୍ୟକ୍ଷା ପଦ ହାତେଇବା ପାଇଁ ବିଜେଡି ର ବିପିନ ଚନ୍ଦ୍ର ପ୍ରଧାନ ଓ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଯାହାଫଳରେ ଦିଗପହଣ୍ଡି ରାଜନୀତି ଏକପ୍ରକାର ଚଳଚଞ୍ଚଳ ହୋଇ ପଡିଥିଲା । ଏପରିକି ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରକାରେ ଗତ ଅଗଷ୍ଟ ୯ ତାରିଖରେ ଗୋକର୍ଣ୍ଣପୁର ସମିତି ସଭ୍ୟ ପଦବୀ ନିମନ୍ତେ ଉପ ନିର୍ବାଚନ ହୋଇଥିଲା । ବିପ୍ଳବ ଙ୍କ ସମର୍ଥିତ ପ୍ରାର୍ଥୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସ୍ବର୍ଗ ତା ସୁନିତା ସେଠୀ ଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ସେଠୀ ବିଜୟୀ ହୋଇଥିଲେ। ଏହାପରେ ଅଗଷ୍ଟ ୩୧ ରେ ବ୍ଳକ ଅଧ୍ୟକ୍ଷା ଉପ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଉଭୟ ଗୋଷ୍ଠୀ ସଂଖ୍ୟା ଗରିଷ୍ଠତା ହାସଲ ନିମନ୍ତେ ସମିତି ସଭ୍ୟ ମାନଙ୍କୁ ନେଇ ନିଜର ପ୍ରସ୍ତୁତି କାର୍ଯ୍ୟକ୍ରମ ଗୋପନ ଭାବେ ଆରମ୍ଭ କରିଥିଲେ । ଦିଗପହଣ୍ଡି ବ୍ଳକରେ ସମୁଦାୟ ୨୫ ଜଣ ସମିତି ସଭ୍ୟା ସଭ୍ୟ ରହିଥିବା ବେଳେ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ର ସମିତି ସଭ୍ୟ ଲଡୁ ପାତ୍ର ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜେଲ ରେ ଅଛନ୍ତି। ନିର୍ବାଚନ ପୂର୍ବରୁ ବିପିନ ଙ୍କ ଶିବିରରେ ୧୪ ଜଣ ସମିତି ସଭ୍ୟ ରହିଥିବା ବେଳେ ବିପ୍ଳବ ଗୋଷ୍ଠୀରେ ୧୦ ଜଣ ସମିତି ସଭ୍ୟ ରହିଥିଲେ । ଯାହା ଦ୍ଵାରା ବିପିନ ଙ୍କ ଗୋଷ୍ଠୀ ସମର୍ଥିତ ପ୍ରାର୍ଥୀନୀ ଙ୍କ ବିଜୟ ଆଶା ଶତ ପ୍ରତିଶତ ରହିଥିଲା । ଗୁରୁବାର ବ୍ଲକ ଅଧ୍ୟକ୍ଷା ପଦବୀ ନିର୍ବାଚନ ନିମନ୍ତେ ବିପିନ ଙ୍କ ସମର୍ଥକ କୁହାଯାଉଥିବା ୧୩ ଜଣ ସମିତି ସଭ୍ୟ ବୋମକେଇ ପଞ୍ଚାୟତ ର ସମିତି ସଭ୍ୟା ଯମୁନା ନାୟକଙ୍କୁ ବ୍ଳକ ଅଧ୍ୟକ୍ଷା ଭାବେ ମନୋନୀତ କରିବା ପାଇଁ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ ମଧ୍ୟ ବିପ୍ଳବ ସମର୍ଥକଙ୍କ ସମିତି ସଭ୍ୟ ମାନେ ଆସିନଥିଲେ । ବ୍ଳକ କାର୍ଯ୍ୟାଳୟ ବାହାରେ ସମିତି ସଭ୍ୟ ମାନେ ବହୁ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କୁ ଭିତରକୁ ଛଡାଯାଇନଥିଲା। ପରେ କାର୍ଯ୍ୟାଳୟ ର ଚାବି ଖୋଲା ଯାଇଥିଲେ ମଧ୍ୟ ନିର୍ବାଚନ ଅଧିକାରୀ ତଥା ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ସେମାନଙ୍କୁ ବ୍ୟାଲଟ ଫର୍ମ ଦେଇନଥିବା ରୁ ସମିତି ସଭ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ୧ ଘଣ୍ଟା ପରେ କିଛି ସମିତି ସଭ୍ୟ ନିଖୋଜ ଆଳରେ ଚିଠି ନଂ ୨୯୩୮ / ୨୩ ପ୍ରକାରେ ସମସ୍ତ ନିର୍ବାଚନ କାର୍ଯ୍ୟ ସ୍ଥଗିତ କରାଗଲା ବୋଲି ଘୋଷଣା ପରେ ବିପିନ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯାହାଫଳରେ ସେମାନେ ଏହାର ଦୃଢ ପ୍ରତିବାଦ କରିବା ସହ ବ୍ଳକ କାର୍ଯ୍ୟାଳୟକୁ ଧଶେଇ ପଶିବାକୁ ଉଦ୍ୟମ କରିଥିଲେ । ଏପରିକି ଉତ୍ୟକ୍ତ ଲୋକଙ୍କୁ ପୋଲିସ ରୋକିବାକୁ ଚେଷ୍ଟା ଚଳାଇଥିବା ବେଳେ ବହୁ ସଂଖ୍ୟକ ସମର୍ଥକ ବ୍ୟାରିକେଡ଼ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟ ଭିତରେ ଧସେଇ ପଶିଥିଲେ। ପରେ ପୁଞ୍ଜିକୟା ଛକଠାରେ ପହଞ୍ଚି ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ବ୍ଯାପକ ପୋଲିସ ମୁତୟନ ରହିଥିବା ବେଳେ ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ସିପକ କୁମାର ପାତ୍ର ଙ୍କ ସମେତ , କନିଷି , ଚିକିଟି , କୁକୁଡାଖଣ୍ଡି ଏବଂ ସାନଖେମୁଣ୍ଡି ତହସିଲଦାର ଡ଼.ଶ୍ରୀନିବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ନିର୍ବାଚନ ସମୟ ସୀମା ସମାପ୍ତ ପରେ ପୁଣିଥରେ ବିପିନ ଙ୍କ ସମର୍ଥକ ୧୪ ସମିତି ସଭ୍ୟା ସଭ୍ୟ ଙ୍କୁ ଗାଡ଼ି ଯୋଗେ କେଉଁଆଡେ ସୁରକ୍ଷିତ ଭାବେ ନିଆଯାଇଥିଲା । ତେବେ ଆଗାମୀ ଦିନରେ ବ୍ଲକ ଅଧ୍ୟକ୍ଷା ପଦବୀ ନିମନ୍ତେ ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି।


