ସେ ଯୁଗର ଲଣ୍ଠନ ଏବେ ଅଲୋଡ଼ା ହୋଇଛି ଅଭାବୀ ମଣିଷଙ୍କ ସ୍ମୃତି ପାଲଟିଛି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଯେଉଁ ସମୟରେ ଆମ ନିକଟରେ ବିଦ୍ୟୁତ ଅପହଞ୍ଚ ଥିଲା ସେତେବେଳେ ଲୋକେ କିରୋସିନିରେ ଡିବିରୀ ବତୀ ହେଉ କିମ୍ବା ଜଡ଼ାରେ ଦିହୁଡି ଲଗାଇ ଅନ୍ଧାରକୁ ଦୂରେଇ ପାରୁଥିଲେ l ବହୁ ବର୍ଷ ଧରି ନିପଟ ମଫସଲ ଗ୍ରାମ କିମ୍ବା ଛୋଟ ଛୋଟ ସହର ଗୁଡିକରେ ଆଲୋକୀକରଣ ବ୍ୟବସ୍ଥାର ଅଭାବ ଦେଖା ଦେଇଥିଲା। ବସ୍ତି ଗୁଡିକରେ ବସବାସ କରୁଥିବା ଲୋକେ ବିଭିନ୍ନ ଉପାୟରେ ଅନ୍ଧାରକୁ ଦୂର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଥିଲେ। ଅପହଞ୍ଚ ଇଲାକା ତଥା ପାହାଡିଆ ଓ ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକେ ରାତିର ଘନ ଅନ୍ଧକାର ଭିତରେ ମୁଣ୍ଡ ଗୁଞ୍ଜି ରହୁଥିଲେ।ଦିନରେ ସୂର୍ଯ୍ୟଙ୍କ ଆଲୁଅରେ ପେଟ ପାଟଣା ପାଇଁ ଖାଦ୍ୟ ଅନ୍ୱେଷଣ ହେଉ କିମ୍ବା ଚାଷ ଜମିରେ କାମ କରି ସନ୍ଧ୍ୟା ବେଳକୁ ଘରକୁ ଫେରି କ୍ଲାନ୍ତ ଶରୀରକୁ ବିଶ୍ରାମ ନେବା ପାଇଁ ତତ୍ପର ହେଉଥିଲେ। ସଞ୍ଜ ନଇଁଲେ ଘରେ ଘରେ ପଡି ଯାଉଥିଲା ତାଟି କବାଟ। କିଛି ଲୋକ ଡିବିରୀ ବତିରେ ପାଠ ପଡିବା ହେଉ ରୋଷେଇ କରିଆସୁଥିଲେ। ଧୂଆଁରେ ଘର ଭର୍ତ୍ତି ହୋଇଯାଉଥିଲା। ସଳିତା ଦେଇ ଲଗାଯାଉଥିଲା ଚିମିଲିରେ।ସମୟ କ୍ରମେ ଗାଁ ଗଣ୍ଡାର କୁଶଳୀ କାରିଗର ଲୁହାରେ ତିଆରି ଚିମିଲି ସହିତ ଲଣ୍ଠନକୁ ତିଆରି କରି ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାରେ ସମର୍ଥ ହୋଇଥିଲେ। କିଛି ବୃଦ୍ଧ ବୟସ୍କ ଲୋକଙ୍କ କହିବା ଅନୁଯାୟୀ ଗତ ୧୯୨୦ ମସିହା ବେଳକୁ ଚିମିଲି ଓ ଲଣ୍ଠନ ଆମ ଜନ ଜୀବନର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରୂପେ ପରିଚିତ ହେଲା।ସେତେବେଳର ଅନୁଭୂତିକୁ ନେଇ ହିଞ୍ଜିଳିକାଟୁ ଅଞ୍ଚଳର ରେଗିଡି ସାହିର ଜଣେ ବାସିନ୍ଦା କୁହନ୍ତି, ଘନ ଅନ୍ଧାର ମଧ୍ୟରେ ଆମକୁ ଲଣ୍ଠନ ସାହାଯ୍ୟ କରୁଥିଲା। କିନ୍ତୁ କାଳକ୍ରମେ ଗାଁ ଗଣ୍ଡାକୁ ବିଜୁଳି ଶକ୍ତିର ଚାହିଦା ବୃଦ୍ଧି ପାଇବାରୁ ଲଣ୍ଠନର ପୂର୍ବ ଆବଶ୍ୟକତା ଲୋପ ପାଇବାକୁ ବସିଲା । ଲଣ୍ଠନର ବହୁଳ ବ୍ୟବହାର ବନ୍ଦ ହେବା ଫଳରେ ପୂର୍ବରୁ ଥିବା ତାର ଚମକ ଓ ଉପଯୋଗୀତା ଏବେ ଅଦରକାରୀ ଜିନିଷ ଭାବେ ପ୍ରାୟତଃ କିଛି ଘରେ ଅଳନ୍ଧୁ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ତେଣୁ ଲଣ୍ଠନ ଆଲମିରା ମଧ୍ୟରେ କେହି କେହି ସାଇତି ରଖିଛନ୍ତି ତ ‘ଆଉ କିଏ ଅଳିଆ ଗଦାକୁ ଫୋପାଡ଼ି ଦେଇଛି। ତଥାପି ପୁରୁଣା ଜିନିଷ ପ୍ରତି ଦୁର୍ବଳତା ଥିବା କିଛି ପରିବାର ଏବେ ଲଣ୍ଠନକୁ ସାଇତି ରଖିଛନ୍ତି।ଘରେ ରଖିଛୁ।ଦୀପ, ଚିମିଲି କିମ୍ବା ଲଣ୍ଠନର ଚାହିଦା କମି ଯିବା କାରଣରୁ ଆଜିକାଲି ବଜାରରେ ବହୁଳ ଭାବରେ ମିଳିବା ଦେଖିବାକୁ ମିଳୁନି।କିଛି ବ୍ୟବସାୟୀ କହନ୍ତି,ଆଗଭଳି ଆଉ ଲଣ୍ଠନ ବିକ୍ରି ହେଉନି କିମ୍ବା ସେଥିରେ ବ୍ୟବହୃତ ହେଉଥିବା କାଚ ମଧ୍ୟ ସୁଲଭ ମୂଲ୍ୟରେ ମିଳୁନାହିଁ।ଆଗରୁ ପଚାଶ ଟଙ୍କାରେ ବିକ୍ରି ହେଉଥିବା ଲଣ୍ଠନ ଏବେ ୩ ଶହ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ ଯୁବ ଗୋଷ୍ଠୀ କହନ୍ତି, ଆମେତ ଘରେ ଲଣ୍ଠନ ଦେଖିନାହୁଁ, ବାହାରକୁ ଗଲେ ହୋଟେଲ କିମ୍ବା ପାର୍କରେ ରଖାଯାଇଥିବା ଦେଖିବାକୁ ପାଉଛୁ। ସଂସ୍କୃତି ଗବେଷକ କୁହନ୍ତି, ୧୯୧୦ରୁ ୧୯୧୫ ବେଳକୁ ବତି, ଚିମିଲି ଆସିଥିବା ଅନୁମାନ କରାଯାଏ। କାରଣ ୧୯୦୭ରେ ଆମ ରାଜ୍ୟକୁ କିରୋସିନି ଆସିଥିଲା। ୧୯୨୦ ମସିହାରେ ବିଶିଷ୍ଟ ସାହିତ୍ୟିକ ଓଡ଼ିଆ ଡିକସିନାରୀରେ କାଚ ବେଷ୍ଟିତ ଦୀପ ସମ୍ପର୍କରେ ଅଭିହିତ କରିଛନ୍ତି। ପୂର୍ବରୁ ବିଭିନ୍ନ ମ୍ୟୁନିସିପାଲିଟିରେ ଖୁଣ୍ଟରେ ଲଣ୍ଠନ ଲଗାଯାଉଥିଲା। ରେଳ ଷ୍ଟେସନ ଏବଂ ଟ୍ରେନରେ ଲଣ୍ଠନ ଧରିବା ଓ ଲେବଲ କ୍ରସିଙ୍ଗିରେ ମଧ୍ୟ ଚିମିଲି, ଲଣ୍ଠନ ଲଗାଯାଉଥିଲା। ୧୯୮୦ରେ ବିଧି ବ୍ୟବସ୍ଥାରେ ପରିବର୍ତ୍ତନ ହେଲା। ବିଦ୍ୟୁତ ସବୁ ସ୍ଥାନରେ ସଂଯୋଗ କରିବା ଉପଲବ୍ଧ ହେଲା। କ୍ରମଶଃ ଲଣ୍ଠନର ଆଦର ଢେର କମିଗଲା। ଏହା ଆମ ସାମାଜିକ ଚଳଣି କ୍ଷେତ୍ରରେ ଅଭୁଲା ସ୍ମୃତି ଭାବେ ମାନସ ପଟରେ ତିଷ୍ଠି ରହିଛି।


