ଏସ୍. ଆଇ.ଆର୍ ନେଇ ତାଲିମ କାର୍ଯ୍ୟକ୍ରମ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଗଞ୍ଜାମବାସୀଙ୍କୁ ଏସ ଆଇ ଆର ନେଇ ବାର୍ତ୍ତା ଦେଇଛନ୍ତି.। ଆପଣମାନେ ଜାଣିଛନ୍ତି ଭାରତର ନିର୍ବାଚନ ଆୟୋଗ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସ୍. ଆଇ.ଆର୍ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଏସ୍. ଆଇ.ଆର୍ ର ଉଦ୍ଦେଶ୍ଯ ହେଲା “ଯୋଗ୍ଯ ବ୍ଯକ୍ତିଙ୍କୁ ଭୋଟର ତାଲିକାରେ ଯୋଡିବା ଓ ଅଯୋଗ୍ଯ ବ୍ଯକ୍ତିଙ୍କୁ ଭୋଟର ତାଲିକାରୁ ବାଦ ଦେବା” । ଚଳିତ ମେ ମାସ ୩୦ ତାରିଖରୁ ଜୁନ ମାସ ୨୮ ତାରିଖ ପର୍ଯ୍ଯନ୍ତ ପାଖାପାଖି ଏକ ମାସ ପର୍ଯ୍ୟନ୍ତ ବି.ଏଲ୍.ଓ ମାନେ ଭୋଟରମାନଙ୍କ ଘରକୁ ଘର ଯାଇ ଦୁଇଟି ଲେଖାଏଁ ପରିଗଣନା ଫର୍ମ (Enumeration Form) ବାଣ୍ଟିବେ । ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲ୍ଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବେ । ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ରେ ଅପଲୋଡ୍ କରିପାରିବେ । ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୃକ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ। ଏହାସହ ନୂଆ ନିର୍ବାଚକ ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲଓ ସେହି ସମୟରେ ଫର୍ମ-୬ ସହ ସ୍ୱତନ୍ତ୍ର ଘୋଷଣାପତ୍ର ପ୍ରଦାନ କରିବେ। ଏହି ପରିଗଣନା ସମୟରେ ଭୋଟରମାନଙ୍କଠାରୁ କୌଣସି ପ୍ରକାରର ଅତିରିକ୍ତ ଦଲିଲପତ୍ର (ଡକ୍ୟୁମେଣ୍ଟ) ସଂଗ୍ରହ କରିବାର ଆବଶ୍ୟକତା ନାହିଁ । ମୋର ଆପଣମାନଙ୍କୁ ଅନୁରୋଧ ଯେତେବେଳେ ବି.ଏଲ୍.ଓ ମାନେ ଆପଣମାନଙ୍କ ପାଖକୁ ତଥ୍ୟ ସଂଗ୍ରହ କରିବାକୁ ଯିବେ ସେମାନଙ୍କୁ ସଠିକ ତଥ୍ୟ ଦେବା ସହିତ ପୂର୍ଣ୍ଣ ସହଯୋଗ କରିବେ । ଚିଠା ଭୋଟର ତାଲିକା ବା ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବ । ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆପଣମାନେ ନାଁ କାହିଁକି କଟିଲା ବା ଅନ୍ୟାନ୍ୟ ଦାବି ଓ ଆପତ୍ତି ଦାଖଲ କରିପାରିବେ । ଦାବି ଓ ଆପତ୍ତିର ନିଷ୍ପତ୍ତି ଇ.ଆର୍.ଓ. ମାନେ ୦୨ ସେପ୍ଟେମ୍ବର ସୁଦ୍ଧା ନେବେ ତା’ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏସ୍. ଆଇ.ଆର୍ ସମ୍ପର୍କିତ ଅଧିକ ତଥ୍ୟ ପାଇଁ ଆପଣମାନେ ନିକଟସ୍ଥ ବି.ଏଲ୍.ଓ ଙ୍କୁ ଅଥବା voters.eci.gov.in କିମ୍ବା ECINET ଆପ ତା ସହିତ ୧୯୫୦ ଟୋଲ ଫ୍ରୀ ନମ୍ବରର ମଧ୍ୟ ସାହାଯ୍ୟ ନେଇପାରିବେ । ଏସ୍. ଆଇ.ଆର୍ ସମୟରେ ବି.ଏଲ୍.ଓ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଗଞ୍ଜାମବାସୀଙ୍କୁ ଆଉଥରେ ଅନୁରୋଧ କରୁଛି ।


