କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ଏକ ଦିବସୀୟ ଖେଳକୁଦ ପ୍ରତିଯୋଗିତା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସରକାରୀ ହାଇସ୍କୁଲ ଖେଳପଡିଆରେ ଏକ ଦିବସୀୟ ମଣ୍ଡଳ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ରୀଡା ଶିକ୍ଷକ ଚିତ୍ତରଞ୍ଜନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତ ମୁଖ୍ୟ ଅତିଥି, କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକ ଓ ୧୨ନମ୍ବର ୱାର୍ଡ କାଉନସିଲର ସେକ ଅସଲମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କ୍ରୀଡାର ବିକାଶ ପାଇଁ ଉଭୟ ଶିକ୍ଷକ ଓ ପ୍ରତିଯୋଗୀମାନେ ସମ୍ମିଳିତ ପ୍ରଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ମଣ୍ଡଳ ବିଦ୍ୟାଳୟ କ୍ରୀଡା ସଙ୍ଘ ସମ୍ପାଦକ ଦ୍ୱାରିକାନାଥ ମୁଦୁଲି ବାର୍ଷିକ କ୍ରୀଡା ବିବରଣୀ ପାଠ କରିଥିବା ବେଳେ ପୂର୍ବତନ ସମ୍ପାଦକ ଉମାକାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ସଶ୍ମିତା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଖୋ-ଖୋ, କବାଡି, କ୍ରୀକେଟ, ଫୁଟବଲ, ଯୋଗ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଡିସକସ ଥ୍ରୋ, ସଟପୁଟ, ଏକଶହ, ୨ଶହ, ୮ଶହ, ୧୫ଶହ, ୩ହଜାର ଓ ୫ହଜାର ମିଟର ଦୈାଡ ପ୍ରଭୃତି ପ୍ରତିଯୋଗିତାରେ କେନ୍ଦ୍ରାପଡା ବ୍ଲକ ଅଧିନ ୨୦ରୁ ଅଧିକ ବିଦ୍ୟାଳୟର ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ଆସନ୍ତା ୨୬ ଓ ୨୭ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଥଲେଟିକ କୋଚ ସୈାକତ ଖାନ ଏବଂ ତାଙ୍କ ସାଥିମାନଙ୍କ ସମେତ କେନ୍ଦ୍ରାପଡା ବ୍ଲକ ଅଧିନସ୍ତ ବିଦ୍ୟାଳୟ ଗୁଡିକର ୩୦ରୁ ଉର୍ଦ୍ଧ୍ୱ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇ ପ୍ରତିଯୋଗୀତା ପରିଚାଳନାରେ ସହଯୋଗ କରିଥିଲେ ।