ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୌର ପରିଷଦ ଟାଉନ ହଲ ପରିସରରେ ଜିଲ୍ଲ୍ା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇ ପ୍ରତ୍ୟେକ ପିତା ମାତା ସେମାନଙ୍କ ସନ୍ତାନ ଓ ପରିବାର ପାଇଁ ଅଶେଷ ତ୍ୟାଗ କରିବା ସହ ସମାଜ ଓ ଦେଶ ପାଇଁ ବହୁ ଅବଦାନ ଦେଇଛନ୍ତି ବୋଲି କହିଥିଲେ । ବରିଷ୍ଠ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ପରିବାର ତଥା ସମାଜ ପାଇଁ ଚିର ନମସ୍ୟ । ସେମାନଙ୍କ ଅନୁଭବ ଓ ଜ୍ଞାନ ସମସ୍ତଙ୍କୁ ବହୁ ମୂଲ୍ୟ ମାର୍ଗ ଦର୍ଶନରେ ସହାୟକ ହୋଇଥାଏ । ଫଳରେ ଯୁବ ସମାଜ ସେମାନଙ୍କ ମାର୍ଗ ଦର୍ଶନରେ ବ୍ରତୀ ହେଲେ ସମାଜରେ ମନବିକ ମୂଲ୍ୟବୋଧର ଅବକ୍ଷୟ ହୁଏ ନାହିଁ । ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ଜରାନିବାସ ପ୍ରତିଷ୍ଠା କରି ଅବହେଳିତ ବୃଦ୍ଧ ପିତାମାତାଙ୍କର ଯତ୍ନ ନେଉଛନ୍ତି ଓ ସ୍ୱାସ୍ଥ୍ୟର ଯତ୍ନ ମଧ୍ୟ ମାଗଣାରେ କରୁଛନ୍ତି । ସେମାନଙ୍କ ପାଇଁ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବା ସହ ଧାର୍ମିକ ଭାବନାକୁ ଉଜ୍ଜୀବିତ ରଖିବା ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଯୋଜନା କରିଛନ୍ତି ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ମିଳିତ ଜାତି ସଂଘରେ ୧୯୯୦ ଡିସେମ୍ବର ୧୪ ତାରିଖରେ ମାର୍ଗଦର୍ଶିକା ପ୍ରଣୟନ କ୍ରମେ ସାରା ବିଶ୍ୱରେ ଅକ୍ଟୋବର ୧ ତାରିଖରେ ‘ବରିଷ୍ଠ ନାଗରିକ ଦିବସ’ ପାଳନ କରାଯାଉଛି । ବରିଷ୍ଠ ନାଗରିକମାନଙ୍କ ସାମାଜିକ ସୁରକ୍ଷା, ବଞ୍ôଚବାର ଅଧିକାରକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲା ପ୍ରଶାସନ(ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ) ପକ୍ଷରୁ ଏହି ଦିବସ ପାଳନ କରାଯାଉଛି । ଏହି କ୍ରମରେ ସକାଳ ୭ ଟାରେ ଟାଉନ ହଲ ପରିସରରେ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ଲୋକମାନଙ୍କ ମଧ୍ୟରେ ସଚେତନତା ପାଇଁ ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବରିଷ୍ଠ ନାଗରିକଙ୍କ ମାଗଣା ସ୍ୱାସ୍ଥ୍ୟପରୀକ୍ଷା ସ୍ଥାନୀୟ ଫ୍ରେଜର୍ ବାଳିକା ବିଦ୍ୟାଳୟରେ ଆୟୋଜନ କରାଯାଇଥିଲା । ଏଥିରେ ୩ଜଣ ଭେଷଜ ବିଶେଷଜ୍ଞ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମଧୁମେହ ଓ ରକ୍ତଚାପ ଆଦିର ମାଗଣା ପରୀକ୍ଷା କରିଥିଲେ । ଚତୁର୍ଥ ପର୍ଯ୍ୟାୟରେ ପୂର୍ବରୁ ଚିହ୍ନିତ ହୋଇଥିବା ୮୭ଜଣ ବରିଷ୍ଠ ନାଗରିକଙ୍କୁ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ମାଧ୍ୟମରେ ୨୪୦ପ୍ରକାର ମାଗଣା ଉପକରଣ ମୁଖ୍ୟ ଅତିଥି ଶ୍ରୀ ବେହେରା, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ପୌରାଧ୍ୟକ୍ଷା ସରିତା ସାହୁଙ୍କ କରକମଳରେ ବଣ୍ଟନ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସଭରେ ୨ଜଣ ବରିଷ୍ଠ ନାଗରିକ ଜଗଦାନନ୍ଦ ଜେନା ଓ ଦୁର୍ଗାଚରଣ ବଳଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ ଜରାଯାଇ ସମ୍ବର୍ଦ୍ଧିତ କରାଯଇଥିବାବେଳେ ଜିଲ୍ଲାର ବିଭିନ୍ନ ବ୍ଲକର ବରିଷ୍ଠ ନାଗରିକ ସଂଘର ୧୦ଜଣ ପ୍ରତିନିଧି ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ । କଳାକାର ପଣ୍ଡା ଓ ସାଥିଙ୍କ ଦ୍ୱାରା ଭିନ୍ନ ଏକ ପୃଥିବୀ ନାଟକ ଓ ବିଭିନ୍ନ ସ୍କୁଲ ଓ ସାଂସ୍କୃତିକ ଦଳ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କର ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଅପରାହ୍ନରେ ଦ୍ୱିତୀୟ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁ ପଞ୍ଜିକୃତ ଅନୁଷ୍ଠାନର ଜଣେ ଜଣେ କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ହାଇସ୍କୁଲ ସ୍ତରୀୟ ବକ୍ତୃତା ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା କୃତି ୩ଜଣ ଛାତ୍ରଛାତ୍ରୀ ଓ ଅଂଶଗ୍ରହଣ କରିଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଅତିଥି ପରିଚୟ ଓ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୂପାଲି ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।


