ରାସ୍ତାକଡ଼ରେ ପସରା ମେଲାଇଛନ୍ତି ପୁଟପାଥ୍ ରେଡ଼ିମେଡ଼ି ପୋଷାକ ବ୍ୟବସାୟୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବାହାର ରାଜ୍ୟରୁ ଆସୁଥିବା କିଛି ରେଡ଼ିମେଡ଼ି ପୋଷାକର ପୁଟଫାଥ୍ ବ୍ୟବସାୟୀ ମାନେ ଚଳିତ ବର୍ଷ ପାର୍ବଣ ସମୟରେ ଆର୍ଥୀକ ସ୍ଥିତି ସୁଧାରିବାକୁ ମନରେ ଆଶା ସଞ୍ଚାର କରିଛନ୍ତି । ରୋଜଗାର ହରାଇ ଭୋକ ଉପବାସରେ ଦିନ କାଟୁଥିବା ଫୁଟଫାଥ୍ ବ୍ୟବସାୟୀ ମାନେ ପୁଣି ଥରେ ଆର୍ଥୀକ ସ୍ଥିତି ମଜବୁତ କରିବା ସକାଶେ ଉଦ୍ୟମ ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ରାଜ୍ୟ ଓ ଜିଲ୍ଲା ବାହାରୁ ଆସିଥିବା ରେଡ଼ିମେଡ଼ି ପୋଷାକର ଫୁଟଫାଥ୍ ବ୍ୟବସାୟୀ ମାନେ ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ନିଜର ପସରା ମେଲାଇଛନ୍ତି । ପ୍ରତିଦିନ ରାସ୍ତା କଡ଼ରେ ବସି କମ୍ ମୂଲ୍ୟରେ ରେଡ଼ିମେଡ଼ି ପୋଷାକ ବିକ୍ରି କରୁଥିବା ଏଭଳି ବେପାରୀ ମାନଙ୍କ ଗତ ୨ ବର୍ଷ ଧରି କରୋନା କଟକଣା ଯୋଗୁଁ ଜୀବିକା ସମ୍ପୁର୍ଣ୍ଣ ଠପ୍ ହୋଇ ଯାଇଥିଲା । ଗତବର୍ଷ କିଛିଟା ଆର୍ଥିକ ସ୍ଥିତିରେ ସୁଧାର ଆସିଥିଲା । ଫଳରେ ରାସ୍ତା କଡ଼ରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ଏଭଳି ବ୍ୟବସାୟୀ ମାନେ ଚଳିତ ବର୍ଷ ପୁଣି ଥରେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିଛନ୍ତି । ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଭଲ ବ୍ୟବସାୟ ହେବା ସହ ଭଲ ୨ ପଇସା ରୋଜଗାର ହେବାରେ ଆଶା ରଖିଛନ୍ତି ।
ହିଞ୍ଜିଳିକାଟୁ ସହର ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ହୋଇଥିବାରୁ ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ୪୦ରୁ ଉର୍ଦ୍ଧ୍ୱ ଗ୍ରାମାଞ୍ଚଳର ଜନ ସାଧାରଣ ବାଣିଜ୍ୟ କାରବାର ସକାଶେ ସ୍ଥାନୀୟ ସହର ଉପରେ ନିର୍ଭରଶୀଳ । ଏପରିକି ସୁଲଭ ମୁଲ୍ୟରେ ରେଡ଼ିମେଡ଼ି ପୋଷାକ କିଣିବା ସକାଶେ ସ୍ଥାନୀୟ ସହରକୁ ଆସିଥାନ୍ତି । ଏହାକୁ ଆଖି ଆଗରେ ରଖି ବାହାର ରାଜ୍ୟ ଓ ନିକଟସ୍ଥ ଜିଲ୍ଲାରୁ ବହୁ ଫୁଟଫାଥ୍ ବ୍ୟବସାୟୀ ସ୍ଥାନୀୟ ସହରକୁ ଆସି ନିଜ ନିଜର ପସରା ମେଲାଇ ଦେଇଥାନ୍ତି । କମ୍ ମୂଲ୍ୟରେ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବକ, ଯୁବତୀ ସମେତ ସମସ୍ତ ବୟସର ଲୋକଙ୍କ ସକାଶେ ରେଡ଼ିମେଡ଼ି ପୋଷାକ ବିକ୍ରି କରିଥାନ୍ତି । ପାର୍ବଣ ସମୟରେ ସ୍ଥାନୀୟ ବଜାରକୁ ଲକ୍ଷ୍ୟ ରଖି କଟକ, ପୂରୀ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଛତିଶିଗଡ଼ ଅଞ୍ଚଳର କିଛି ଫୁଟପାଥ ବ୍ୟବସାୟୀ ଆସି ପସରା ମେଲାଇ ଦେବା ସହ ବେପାର ଜମାଇଛନ୍ତି । ସ୍ଥାନୀୟ ସହରର ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାର୍ଶ୍ବ ସମେତ ଘୋଡ଼ାହାଡ଼ ସେତୁ ନିକଟସ୍ଥ ଅଞ୍ଚଳ, ଖଣ୍ଡରା ଛକ, କଲେଜ ଛକ, ପେଟ୍ରୋଲ ପମ୍ପ ନିକଟସ୍ଥ ଅଞ୍ଚଳରେ ଫୁଟପାଥ ବ୍ୟବସାୟୀ ମାନେ ପସରା ମେଲାଇଛନ୍ତି । ୧ଶହ ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ମଧ୍ୟରେ ବିଭିନ୍ନ ରକମର ପୋଷାକ ବିକ୍ରି କରାଯାଉଥିବା ଜଣାପଡ଼ିଛି । ବିଶେଷ କରି ନିକଟସ୍ଥ ଗ୍ରାମାଞ୍ଚଳର ଲୋକେ ଏଭଳି ପୋଷାକୁ କିଣି ନେଉଥିବା ନଜିର ରହିଛି । ପୂଜା ବଜାରରରେ ଭଲ ଦୁଇ ପଇସା ରୋଜଗାର ହେବ ବୋଲୀ ଫୁଟପାଥ ବ୍ୟବସାୟୀ ମାନେ ଆଶ ରଖିଛନ୍ତି । ଭଲ ବ୍ୟବସାୟ ହେଲେ ଗତ ୨ ବର୍ଷର ଖର୍ଚ୍ଚ ଭରଣାରେ କିଛିଟା ସହାୟକ ହୋଇ ପାରିବ ବୋଲି ସ୍ଥାନୀୟ ଅଞ୍ଚଳକୁ ଆସିଥିବା ୧୦ରୁ ଉର୍ଦ୍ଧ୍ୱ ଫୁଟପାଥ ବ୍ୟବସାୟୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ