ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ବିବାଦ ରୁ ଅପହରଣ ମାମଲା ୯ ଦୁର୍ଦ୍ଦଶ ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଇଲାକାରେ ଗତ କିଛିଦିନ ହେଲା ୨ ଅପରାଧୀ ଗୋଷ୍ଠୀ ମଧ୍ୟରେ ଦାଦା ବଟି ଭାଗ ବଣ୍ଟନ କୁ ନେଇ ଲାଗି ରହିଥିବା ବିବାଦ ଚରମ ସୀମାରେ ପହଞ୍ଚିଛି। ପୋଲିସ ଗୁରୁବାର ଏକ ଅପହରଣ ଏବଂ ଡକାୟତି ମାମଲାରେ ୯ ଜଣ ପେଶାଦାର ଅପରାଧୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ୨ ଟି ମାଉଜର,୩ ଟି ଖଣ୍ଡା ଏବଂ ୪ ଟି ବାଇକ ପୋଲିସ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କେ. ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ, ତେଣ୍ଟୁଆପଡ଼ା ଗ୍ରାମର ଲାଲୁ ପ୍ରସାଦ ସେଠୀ, ଜକର ଗ୍ରାମର ରାଜୁ ଗୌଡ଼, କୁମରଡ଼ା ଗ୍ରାମରେ ରହୁଥିବା ମୁମ୍ବାଇ ର ଅଶିଫ ଖାନ, କୃଷ୍ଣ ଚନ୍ଦ୍ର ସେଠୀ,ଆସିକା ଥାନା ପୁଡୁଗେଶ୍ୱର ପଲ୍ଲୀ ଗ୍ରାମର ଆଦିତ୍ୟ ନାହାକ, ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗ୍ରାମର ପ୍ରସାଦ ଗୌଡ଼, ଜରଡା ଥାନା କୋଳିହଳା ଗ୍ରାମର ସଞ୍ଜୟ କୁମାର ରଣା, ଆସିକା କୋଟିନଡ଼ା ଥାନା କୋଟିନଡ଼ା ଗ୍ରାମର ରୋଶନ କୁମାର ମହାନ୍ତି। ଥାନା ମାମଲା ନଂ .୪୩୭/୨୩ ଦଫା – ୩୬୪/୩୯୫ ଆଇ ପି ସି ଅନୁଯାୟୀ ଜାମିନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂଚନା ପ୍ରକାରେ ଗତ ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ କେ.ନୂଆଗାଁ ଥାନା ନୂଆପଡ଼ା ଗ୍ରାମର ନୃସିଂହ ପ୍ରସାଦ ପଣ୍ଡା ଓରଫ ନାନା ପଣ୍ଡା ଗ୍ରାମ ନିକଟ ଚାନ୍ଦପୁର ଗ୍ରାମ ବଜାର କୁ ଆସୁଥିବା ବେଳେ ଅଭିଯୁକ୍ତ ମାନେ ୪ ଟି ବାଇକ ରେ ଆସି ତାଙ୍କୁ ମାଉଜର,ଖଣ୍ଡା,ଭୁଜାଲି ଦେଖାଇ ଜୋର ଜବରଦସ୍ତ ବାଇକ ଯୋଗେ ଅପହରଣ କରି ତାଙ୍କୁ କୁମରଡା ଗ୍ରାମ ଘାଇ ପାଖକୁ ନେଇ ସେଠାରେ ତାଙ୍କୁ ଲୁହା ଛଡ,ଠେଙ୍ଗା ଓ ଖଣ୍ଡା ଦ୍ଵାରା ନିସ୍ତୁକ ମାଡ଼ ମାରି ତାଙ୍କ ପକେଟ ରେ ଥିବା ୨୩୪୦୦ ଟଙ୍କା ଛଡାଇ ନେଇଥିଲେ। ଏହି ବିଷୟ ଥାନାରେ ଜଣାଇଲେ ଜୀବନରେ ମାରିଦେବାକୁ ସେମାନେ ଧମକ ଦେଇ ଫେରାର ହୋଇଯାଇଥିଲେ। ନୃସିଂହ ବହୁ କଷ୍ଟରେ ସେଠାରୁ ଫେରି କେ.ନୂଆଗାଁ ଥାନା ରେ ଏତଲା ଦେଇଥିଲେ। ଗିରଫ ଅଭିଯୁକ୍ତ ମାନଙ୍କ ନାଁ ରେ ଆସିକା,ଦିଗପହଣ୍ଡି ଏବଂ କେ. ନୂଆଗାଁ ଥାନାରେ ଏକାଧିକ ମାମଲା ରହିଥିବା କେ.ନୂଆଗାଁ ଥାନା ଆଇ ଆଇ ସି କିଶୋର କୁମାର ସାମଲ କହିଛନ୍ତି। ୨ ପେଶାଦାର ଅପରାଧୀ ଗୋଷ୍ଠୀ ଙ୍କ ମଧ୍ୟରେ ବାଦ ବିବାଦ ରୁ ଏହି ଘଟଣା ଘଟିଥିବା ଜଣାପଡିଛି।