ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସମାରୋହ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପ୍ରକୋଷ୍ଠ ଠାରେ ଶୁକ୍ରବାର ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଜିଲ୍ଲା ସ୍ତରୀୟ ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ ଦୁର୍ନୀତିର ମୂଳପୋଛ ହେଲେ ଦେଶ ପ୍ରଗତି ପଥରେ ଆଗେଇବ । ଦୁର୍ନୀତି ଆମ ସମାଜ, ପରିବାର ଓ ଦେଶକୁ ଗ୍ରାସ କରିଛି । ନିଜେ ବଡବଡ କଥା ନ କହି ଲାଳସା ମୁକ୍ତ ହୋଇ କାର୍ଯ୍ୟ କଲେହିଁ ଦୁର୍ନୀତିର ମୂଳ ପୋଛ ହେବ । ଏଣୁ ପରିବାର ଠାରୁ ଆରମ୍ଭ କରି ସମସ୍ତ ସ୍ତରରେ ଦୁର୍ନୀତିକୁ ପ୍ରଶ୍ରୟ ଦେବା ନ।ହିଁ। ଯେଉଁଠି ଦୁର୍ନୀତି ହେଉଛି ଜାଣିବା ତାହା ଲୋକ ଲୋଚନରେ ପ୍ରକାଶ ହେବା ଆବଶ୍ୟକ ତେବେ ଯାଇ ଦୁର୍ନୀତିର ଲିପ୍ତଥିବା ବ୍ୟକ୍ତି ଦୁର୍ନୀତି କରିବା ଦିଗରେ ସାହସ କରିବେ ନ।ହିଁ । ପ୍ରତ୍ୟକ ନାଗରିକ ଦୁର୍ନୀତିକୁ ରୋକିବା ଦିଗରେ ସଜାଗ ହେବ ଜରୁରୀ । ଛୋଟ ଛୋଟ କଥାରେ ପ୍ରତ୍ଯେକେ ଧ୍ୟାନ ଦେବା, ନିଜ ଦାୟିତ୍ବକୁ ସ୍ବଚ୍ଛତା ଦ୍ବାରା ଆନ୍ତରିକତାର ସହ ତ୍ଯାଗପୂର୍ଣ୍ଣ ଭାବେ କାମ କରିବା ଆବଶ୍ୟକ । ଠିକ୍ ସମୟରେ କାର୍ଯ୍ୟାଳୟକୁ ଆସିବା ପ୍ରତ୍ଯେକ କର୍ମଚାରୀଙ୍କର କର୍ତ୍ତବ୍ୟ. କୋଉଟା ଭଲ କୋଉଟା ମନ୍ଦ ପ୍ରତ୍ଯେକେ ଜାଣନ୍ତି । ମନ୍ଦ କାର୍ଯ୍ୟରୁ ଦୂରେଇ ରହି ଭଲ କାର୍ଯ୍ୟରେ ଲିପ୍ତ ହେବା ଆବଶ୍ୟକ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନା କରି ଜଣାଇଥିଲେ ଯେ ରାଷ୍ଟ୍ରର ବିକାଶ ଦିଗରେ ସମସ୍ତ ବ୍ୟକ୍ତିବିଶେଷ ପ୍ରତିଟି କ୍ଷେତ୍ରରେ ସଚେତନତା ଓ ସଜାଗ ରହିଲେ ଦୁର୍ନୀତି ରୂପକ ରାକ୍ଷସକୁ ରୋକିହେବ । ଏଥି ନିମନ୍ତେ ଯୁବପିଢିଙ୍କ ଠାରୁ ଆରମ୍ଭ କରି ଯିଏ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଥାନ୍ତୁ ନା କାହିଁକି ପ୍ରତ୍ଯେକେ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ । ଡେପୁଟି କଲେକ୍ଟର ଆୟୁଷୀ ପତି, ଦୀପ୍ତିମୟୀ ପାତ୍ର ନିଜ ନିଜ ବକ୍ତବ୍ୟରେ ପ୍ରତ୍ଯେକ ନାଗରିକ ତଥା ଯୁବପିଢୀ ଙ୍କର ଦୁର୍ନୀତି ରୋକିବାରେ ଉତ୍ତର ଦାୟୀତ୍ବ ରହିଛି ବୋଲି ମତବ୍ଯକ୍ତ କରିଥିଲେ । ଜିଲ୍ଲାସ୍ତରୀୟ ଦୁର୍ନୀତି ସଚେତନତା କାର୍ଯ୍ୟକ୍ରମ ଗତ ଅକ୍ଟୋବର 30 ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଚଳିତ ମାସ ୫ ତାରିଖରେ ଶେଷ ହେବ । ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ସଚେତନତା ସକାଶେ ଶୋଭାଯାତ୍ରା ,ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଯୁକ୍ତ ୨ ସ୍ତରରେ ବଦ୍ରିନାଥ ମିଶ୍ର, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଅନୀଲ ପ୍ରଧାନ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତ୍ରପୁର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆଶୁତୋଷ ପଲେଇ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତ୍ରପୁର ତୃତୀୟ ସ୍ଥାନ, ସେହିପରି ଯୁକ୍ତ ୩ ସ୍ତରରେ ଆର୍. ଧବଳେଶ୍ବର ରେଡ୍ଡୀ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଶୁଭଶ୍ରୀ ନାୟକ, ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସରୀତା ଦାଶ, ନୀଳକଣ୍ଠ ଉତ୍କଳ ଏକାଡେମୀ ଡିଗ୍ରୀ ମହାବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା ।