୫ଟି ଅନୁଦାନରୁ ବଞ୍ଚିତ ତିନିଶହ ବର୍ଷ ତଳର ଐତିହାସିକ ଶକ୍ତିପୀଠ ମାଆ ବୁଢାକେନ୍ଦୁ ମନ୍ଦିର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଏବଂ ସୋରଡ଼ା ବ୍ଳକ୍ କୁ ସଂଯୋଗ କରୁ୍ଥିବା ରାସ୍ତାରେ ରହିଛି ତିନିଶହ ବର୍ଷ ତଳର ଐତିହାସିକ ଶକ୍ତିପୀଠ ମାଆ ବୁଧକେନ୍ଦୁ ମନ୍ଦିର I ଏହି ମନ୍ଦିରର ପ୍ରତିଷ୍ଠା ପଛରେ ଏକ ବଳିଷ୍ଠ କିମ୍ବଦନ୍ତୀ ରହିଥିବା ବେଳେ ଦେବୀଙ୍କୁ ଘୁମୁସର ମାଟିର ଜଣେ ପ୍ରତ୍ୟେକ୍ଷ ଦେବୀ ଭାବରେ ଲୋକେ ବିଶ୍ୱାସ କରିଥାଆନ୍ତି I ବର୍ଷସାରା ଏଠାକୁ ପର୍ଯ୍ୟଟକ,ମାନସିକଧାରିଙ୍କ ସୁଅ ଛୁଟିଥାଏ I ବିଶେଷ କରି ଦୂର୍ଗାପୂଜା ଏବଂ ଚୈତ୍ର ମାସରେ ଦେବୀଙ୍କ ସ୍ଵତନ୍ତ୍ର ନୀତିକାନ୍ତି ହୋଇଥାଏ I ସେହିପରି କାର୍ତ୍ତିକ ମାସ ପୂର୍ଣ୍ଣମୀ ତିଥିରେ ଦେବୀଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଥାଏ I ଏହିଦିନ ଗଞ୍ଜାମ ସମେତ ପଡ଼ୋଶୀ ଜିଲ୍ଳା ଗଜପତି, କନ୍ଧମାଳ ଏବଂ ନୟାଗଡ଼ରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟି ଥାଏ ମାଆଙ୍କ ଦର୍ଶନ ପାଇଁ I ସେହିପରି ମନ୍ଦିର ପରିସରରେ ବର୍ଷସାରା ବଣଭୋଜି, ରାଜନୈତିକ ସଭା, ବନ୍ଧୁ ମିଳନ, ବିବାହ,ବ୍ରତ ଭଳି କାର୍ଯ୍ୟକ୍ରମ ଲାଗି ରହିଥାଏ I କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଦୀର୍ଘ ବର୍ଷ ଧରି ମନ୍ଦିରରେ ନାନା ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାପ୍ରତି ସରକାରଙ୍କର ଶୁଭ ଦୃଷ୍ଟି ପଡ଼ି ନପାରିବା ଅଞ୍ଚଳବାସୀଙ୍କ ଭାବାବେଗକୁ କୁଠାରଘାତ କରିଛି I ବିଶେଷ କରି ମନ୍ଦିର ପରିସରରେ ପାନୀୟ ଜଳର ଅଭାବ ,ପାଚେରୀ, ବିଶ୍ରାମଗାର,ରୋଷେଇ ଶାଳ, ଖୋଲା ଆଶ୍ରୟ ସ୍ଥଳୀ, ଆଧୁନିକ ଶୌଚାଳୟ,କର୍ମକର୍ତ୍ତା କାର୍ଯ୍ୟାଳୟ, ଅତିଥି ଭବନ, ପୂଜା ସାମଗ୍ରୀ ବିକ୍ରୟ ଗୃହ, ମାଆ ବୁଢାକେନ୍ଦୁ ଯୁବକ ସଂଘ ଗୃହର ଅଭାବ ଭଳି ସମସ୍ୟା ଲାଗି ରହିଛି I ବର୍ତ୍ତମାନ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ମନ୍ଦିର ଗୁଡିକୁ ୫ଟି ମାଧ୍ୟମରେ ଉନ୍ନତିକରଣ କରୁ୍ଥିବା ବେଳେ ବୁଢାକେନ୍ଦୁ ମନ୍ଦିର କଥା କିନ୍ତୁ ସମ୍ପୂର୍ଣ୍ଣ ଭୂଲି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ମନ୍ଦିରର ଉନ୍ନତିକରଣ ସକାଶେ ତତକାଳୀନ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କ ତତ୍ତ୍ୱାବଧାନରେ ତତକାଳୀନ ବେଲଗୁଣ୍ଠା ତହସିଲଦାର ମନୋଜ ପ୍ରଭାକର କୁଜୁର୍, ବିଡିଓ ରୋଶନ୍ ଶତପଥୀ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ମନ୍ଦିରର ସ୍ଥିତି ଅନୂଧ୍ୟାନ କରିବା ସହିତ ଏହାର ଉନ୍ନତିକରଣ ପାଇଁ ପଦକ୍ଷେପ ଗ୍ରହଣ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଥିଲେ I ଏହା ଅଞ୍ଚଳବାସୀଙ୍କ ମନରେ ଏକ ନୂତନ ଆଶା ସଞ୍ଚାର କରିଥିଲା I ଏହାପରେ ତତକାଳୀନ ୫ଟି ସଚିବ ତଥା ବର୍ତ୍ତମାନର ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ସୋରଡ଼ା ନିର୍ବାଚନ ମଣ୍ଡଳୀକୁ ଗସ୍ତ କାର୍ଯ୍ୟକ୍ରମ ଅଞ୍ଚଳବାସୀଙ୍କୁ ଉତ୍ଫୁଲ୍ଲିତ କରିଥିଲା I ଅଞ୍ଚଳବାସୀ ଆଶା କରିଥିଲେ ଶ୍ରୀଯୁକ୍ତ ପାଣ୍ଡିଆନ ନିଶ୍ଚିତ ରୂପେ ମନ୍ଦିରର ୫ଟି ରୂପାନ୍ତରଣ ପାଇଁ ଘୋଷଣା କରିବେ I କିନ୍ତୁ ସେମିତି କିଛି ଘଟିଲା ନାହିଁ I ଶ୍ରୀଯୁକ୍ତ ପାଣ୍ଡିଆନ ଅଞ୍ଚଳବାସୀଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଥିଲେ I ଏହା ପରେ ଚଳିତ ନଭେମ୍ବର ଦୁଇ ତାରିଖରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍ଘାଟନୀ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ସୋରଡ଼ା ଏନ୍ଏସିର ଖୁଣ୍ଟେଶ୍ୱରୀ ମନ୍ଦିର ଏବଂ ବେଲଗୁଣ୍ଠା ଏନ୍ଏସିର ମାଆ ବ୍ରାହ୍ମଣ ଦେବୀ ମନ୍ଦିରର ଉନ୍ନତିକରଣ ପାଇଁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରାଯାଇଥିଲେ ମଧ୍ଯ ମାଆ ବୁଢାକେନ୍ଦୁ ମନ୍ଦିର ପାଇଁ କୌଣସି ପ୍ରକାର ଘୋଷଣା କରାଯାଇନଥିଲା I ଯାହା ଅଞ୍ଚଳବାସୀଙ୍କ ସମସ୍ତ ସ୍ଵପ୍ନକୁ ଧୂଳିସାତ୍ କରିଦେଇଥିଲା I ଦୁଇ ଏନ୍ଏସିର ଦୁଇଟି ମନ୍ଦିରକୁ ସରକାରଙ୍କର ଶୁଭ ଦୃଷ୍ଟି ପଡ଼ିଥିବା ବେଳେ ଉଭୟ ବ୍ଳକ୍ ର ସଂଯୋଗ ସ୍ଥକରେ ଥିବା ମାଆ ବୁଢାକେନ୍ଦୁ ପୀଠ ପ୍ରତି ସରକାରଙ୍କର ନଜର ନପଡିବା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିଥିଲା I ତେଣୁ ଖୁବ୍ ଶୀଘ୍ର ରାଜ୍ୟ ସରକାର ପୁନର୍ବିଚାର କରି ମାଆ ବୁଢାକେନ୍ଦୁ ମନ୍ଦିରର ଉନ୍ନତିକରଣ ସକାଶେ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଏ ଦିଗରେ ସ୍ଥାନୀୟ ବିଧାୟକ ଏବଂ ବ୍ଳକ୍ ଅଧ୍ୟକ୍ଷ ଯତ୍ନବାନ୍ ହେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି I