ବଞ୍ଚୋର ବିଭିନ୍ନ ୱାର୍ଡ ପରିଦର୍ଶନ କଲେ ବିଡିଓ ଓ ତହସିଲଦାର
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକର ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଓ ତହସିଲଦାର ହାବିଲ ଖାଖା ଆଜି ବଞ୍ଚୋ ପଞ୍ଚାୟତର ବିଭିନ୍ନ ୱାର୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି । ବିଶେଷକରି ଏହି ପଞ୍ଚାୟତର ୩ନଂ ଓ ୪ନଂ ୱାର୍ଡରେ ବର୍ଷାଜଳ ନିସ୍କାସନର କୌଣସି ସୁବ୍ୟବସ୍ଥା ନଥିବାରୁ ଏହି ୱାର୍ଡର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥାନ୍ତି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିବା ସହିତ ବିଭିନ୍ନ ଲୋକଙ୍କ ଘରେ ପାଣି ପସିଯାଇଥାଏ । ବର୍ଷର ୬ମାସ ଏହି ୱାର୍ଡର ଲୋକମାନେ ଅସୁବିଧା ଭୋଗ କରିଥାନ୍ତି । ଏନେଇ ଗ୍ରାମର ସ୍ୱେଚ୍ଛାସେବୀ ମମତା ବରାଳ ପୁର୍ବରୁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଟୁଇଟ କରି ଜଣାଇଥିଲେ । ଏପରିକି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ମଧ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ତେଣୁ ଏହି ଦାବିକୁ ଗୁରୁତ୍ୱ ଦେଇ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଓ ତହସିଲଦାର ହାବିଲ ଖାଖା ଏହି ୱାର୍ଡ ପରିଦର୍ଶନ କରି ଲୋକମାନଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ କିପରି ଏହି ସମସ୍ୟାକୁ ତୁରନ୍ତ ଦୁର କରାଯାଇ ପାରିବ ସେନେଇ ପଦକ୍ଷେପ ନେବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହି ପରିଦର୍ଶନ ସମୟରେ ବ୍ଲକ ଅଧ୍ୟକ୍ଷା ସାବେିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ ଓ କିଛି ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ ।


