କ୍ୟାପିଟାଲ୍ ହସ୍ପିଟାଲରେ ହୃଦରୋଗୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ୱାର୍ଡ଼
ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ନେଇ ହୃଦ୍ରୋଗୀଙ୍କ ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଖୋଲିଛି ସ୍ୱତନ୍ତ୍ର ୱାର୍ଡ଼। ଏଥିରେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। କ୍ୟାପିଟାଲ ହସ୍ପିଟାଲର ହୃଦ୍ ବିଭାଗକୁ ଖୁବ୍ଶୀଘ୍ର ସେଣ୍ଟର୍ ଅଫ୍ ଏକ୍ସିଲେନ୍ସି ଭାବେ ପରିଣତ କରାଯିବ। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କାର୍ଡିଓଲୋଜି ଚିକିତ୍ସା ଉପଲବ୍ଧ କରାଯିବ। ଏଥିପାଇଁ ସରକାର ଖୁବ୍ ତତ୍ପର ଅଛନ୍ତି। ଫଳରେ ରାଜ୍ୟର ସମସ୍ତ ହୃଦ୍ରୋଗୀ ଚିକିତ୍ସା ସେବା ପାଇପାରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ଏଥିସହ କ୍ୟାପିଟାଲ୍ ହସ୍ପିଟାଲ୍ରେ ହୃଦ୍ ବିଭାଗରେ ବିଶିଷ୍ଟ ହୃଦ୍ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ଦାସ ନିର୍ଦ୍ଦେଶକ ଭାବରେ ଯୋଗଦେଇଛନ୍ତି। ଫଳରେ କ୍ୟାପିଟାଲ୍ ହସ୍ପିଟାଲ୍ର ହୃଦ୍ରୋଗ ଜନିତ ସମସ୍ତ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିବ। ଏଠାରେ ପ୍ରଥମ ଥର ପାଇଁ ଶିଶୁମାନଙ୍କର ହୃଦ୍ ଅସ୍ତ୍ରୋପଚାର ସୁବିଧା ମିଳିପାରିବ। ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବିଭାଗୀୟ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, କ୍ୟାପିଟାଲ୍ ହସ୍ପିଟାଲ୍ର ନିର୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ କ୍ରମାଗତ ଭାବେ ହୃଦ୍ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସଂପୃକ୍ତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ବାହାରକୁ ଯାଉଥିଲେ। କିନ୍ତୁ ଆଜିଠାରୁ ରାଜ୍ୟର ହୃଦ୍ରୋଗୀ ଆଉ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବାକୁ ପଡ଼ିବ ନାହିଁ। କ୍ୟାପିଟାଲ୍ ହସ୍ପିଟାଲ୍ର ହୃଦ୍ରୋଗର ଚିକିତ୍ସା ନିମନ୍ତେ ଏକ ସ୍ବତନ୍ତ୍ର ଅତ୍ୟାଧୁନିକ ହୃଦ୍ ଚିକିତ୍ସା କେନ୍ଦ୍ର ଆଜିଠାରୁ ଖୋଲାଯାଇଛି। ଏହି କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଡାକ୍ତର ପ୍ରଭାତ କୁମାର ଦାସ କାର୍ଯ୍ୟରେ ଯୋଗ ଦେଇଛନ୍ତି। ରାଜ୍ୟରୁ ହଜାର ହଜାର ହୃଦ୍ରୋଗୀ ବେଙ୍ଗାଲୁରୁ ଯାଇ ଡାକ୍ତର ପି କେ ଦାସଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ଆଜିଠାରୁ ଏହି ରୋଗୀଙ୍କୁ ଆଉ ବେଙ୍ଗାଲୁରୁ ଯିବାକୁ ପଡ଼ିବ ନାହିଁ। କ୍ୟାପିଟାଲ୍ ହସ୍ପିଟାଲ୍ ପୂର୍ବରୁ ମାସକୁ ହାରାହାରି ୭ଟି ଆଞ୍ଜିଓପ୍ଲାଷ୍ଟ, ଷ୍ଟେଣ୍ଟିଂ ହେଉଥିଲା। ଡାକ୍ତର ଦାସ ଓ ତାଙ୍କ ସହଯୋଗୀ ଯୋଗଦେବା ପରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଦୈନିକ ୧୫ରୁ ୨୦ ଜଣ ରୋଗୀଙ୍କ ଆଞ୍ଜିଓପ୍ଳାଷ୍ଟ୍ ହୋଇପାରିବ। ଏଥିସହ ହୃଦ୍ରୋଗୀଙ୍କ ଅନ୍ୟାନ୍ୟ ଜଟିଳ ସମସ୍ୟାର ସହଜ ତଥା ଗୁଣାତ୍ମକ ଚିକିତ୍ସା ଏଠାରେ ସମ୍ଭବ ହୋଇପାରିବ ବୋଲି ଜଣାପଡ଼ିଛି।


