ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଜାତୀୟ ଦୁଗ୍ଧ ଦିବସ-୨୦୨୩ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତବର୍ଷରେ ‘ଶ୍ୱେତ ବିପ୍ଲବ’ର ଜନକ ଭର୍ଗିଜ କୁରିଏନଙ୍କର ଜନ୍ମ ଦିବସକୁ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଇ ଆସୁଅଛି । ଆଜି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଆନୁକୂଲ୍ୟରେ ଏହାର ରାଜ୍ୟ କାର୍ଯ୍ୟାଳୟ ଲୋହିଆ ଭବନଠାରେ ‘ଜାତୀୟ ଦୁଗ୍ଧ ଦିବସ-୨୦୨୩’ ପାଳିତ ହୋଇଯାଇଛି । ପ୍ରଥମେ ସଂଗଠନର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଆମ ଦେଶରେ ଶ୍ୱେତ ବିପ୍ଲବର ଇତିହାସ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆମ ରାଜ୍ୟର ୧୧ ଲକ୍ଷ ଦୁଗ୍ଧ ଚାଷୀଙ୍କ ଠାରୁ ଦିନକୁ ୬୬ ଲକ୍ଷ ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ଓମ୍‌ଫେଡ଼ ଏବଂ ଅନ୍ୟାନ୍ୟ ଘରୋଇ ଡାଏରୀ କମ୍ପାନୀମାନେ ମାତ୍ର ୮ଲକ୍ଷ ଦୁଗ୍ଧ ସଂଗ୍ରହ କରୁଛନ୍ତି । ବାକି ୫୮ଲକ୍ଷ ଦୁଗ୍ଧକୁ ଦୁଗ୍ଧଚାଷୀମାନେ ଅଣସଂଗଠିତ କ୍ଷେତ୍ରରେ ଯଥା ହୋଟେଲ, ରେଷ୍ଟୁରାଣ୍ଟ, ଜଳଖିଆ ଦୋକାନ, ଚା ଦୋକାନ ଓ ଛେନା, ଖୁଆ ପ୍ରଭୃତି କରି ବିକ୍ରି କରୁଛନ୍ତି । ବହୁ ସମୟରେ ରାଜ୍ୟରେ ଦୁଗ୍ଧଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ସହିତ ପୋଲିସ୍‌, ସ୍ଥାନୀୟ ଗୁଣ୍ଡା ଓ ଦାଦାମାନଙ୍କର ଶୋଷଣ ଓ ଅତ୍ୟାଚାରର ଶିକାର ହେଉଛନ୍ତି । ୧୯୮୦ ଦଶକରେ ରାଜ୍ୟରେ ଓମ୍‌ଫେଡ଼ ଗଠନ କରାଯାଇ ଦୁଗ୍ଧ ଚାଷୀମାନଙ୍କୁ ସଂଗଠିତ କରିବା ସହିତ ସେମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ସେହିଭଳି ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣବତାର କ୍ଷୀର ଯୋଗାଇ ଦେବା ପାଇଁ ଓମ୍‌ଫେଡ଼ର ଆଭିମୁଖ୍ୟ ରହିଥିଲା । କିନ୍ତୁ ଆଜି ଏହି ଦୁଇଟିଯାକ ଆଭିମୁଖ୍ୟରୁ ଓମ୍‌ଫେଡ଼ ଦୂରେଇ ଯିବା ଦୁଗ୍ଧଚାଷୀମାନଙ୍କ ଭିତରେ ଗଭୀର କ୍ଷୋଭ ସୃଷ୍ଟି କରିଛି । ରାଜ୍ୟ ସରକାର କୃଷକମାନଙ୍କୁ ବିନା ସୁଧରେ କୃଷିଋଣ ଯୋଗାଇ ଦେଉଥିଲା ବେଳେ ଡାଏରୀ ଫାର୍ମ କରିବା ପାଇଁ ଦୁଗ୍ଧ ଚାଷୀଟିକୁ ୧୨ରୁ ୧୪ ପ୍ରତିଶତ ସୁଧ ଦେବାକୁ ପଡୁଛି । ଯାହାଫଳରେ ବହୁ ଯୁବକ ଯୁବତୀ ଡାଏରୀ ଫାର୍ମ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରିଛି ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ସେହିଭଳି ରାଜ୍ୟର ଚାରଣଭୂମି ସଙ୍କୁଚିତ ହେବା ସହିତ ଗୋଖାଦ୍ୟର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ଦୁଗ୍ଧଚାଷୀମାନେ ଶୋଷଣ ଶିକାର ହେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ସମବାୟ ଭିତ୍ତିରେ କଟକ, ବ୍ରହ୍ମପୁର ଓ ସମ୍ବଲପୁରଠାରେ ଆଞ୍ଚଳିକ ଗୋଖାଦ୍ୟ ଉତ୍ପାଦନ କେନ୍ଦ୍ର ଖୋଲି ସୁଲଭ ମୂଲ୍ୟରେ ଗୋଖାଦ୍ୟ ଯୋଗାଣ ପାଇଁ ମହାସଂଘ ଦାବି କରିଛି । ଅନ୍ୟମାନଙ୍କ ମଧ୍ୟରେ ଦୁଗ୍ଧଚାଷୀ ମହାସଂଘର ସାଧାରଣ ସମ୍ପାଦକ ନାରାୟଣ ଡାଳୁଆ, ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ଚାଷୀନେତା ବିଜୟ ବେହେରା, ଶୁଭାଷିନୀ ଭଦ୍ର, ବିଜୟଲକ୍ଷ୍ମୀ ଦାସ, ପ୍ରମିଳା ସ୍ୱାଇଁ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ ସରକାର ତୁରନ୍ତ ଦୁଗ୍ଧଚାଷୀମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ । ଶେଷରେ ଗୌରାଙ୍ଗ ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ