ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ବୋଇତ ବନ୍ଦାଣର ସନ୍ଦେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ପବିତ୍ର କାର୍ତ୍ତିକ ପୁନେଇଁ । ଉତ୍କଳୀୟ ପରମ୍ପରାରେ ସାଧବ ପୁଅର ନୌବାଣିଜ୍ୟର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଦିନଟିଏ । ଏହି ଦିନଟିରେ ପ୍ରତ୍ୟେକ ଓଡ଼ିଆ ଶ୍ରଦ୍ଧା, ସମ୍ମାନର ସହ ବୋଇତକୁ ବନ୍ଦାପନା କରି ବିଭିନ୍ନ ଜଳାଶୟରେ ଭସାଇଥାନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପୋଖରୀପୁଟ ସ୍ଥିତ “ଚିତ୍ରଶାଳା” ଅନୁଷ୍ଠାନର କୁନି ଚିତ୍ରଶିଳ୍ପୀମାନେ ଏକାଠି ହୋଇ ରଙ୍ଗ, ବେରଙ୍ଗ କାଗଜରେ ପରିବେଶ ଅନୁକୂଳ ଅର୍ଥାତ୍ ଇକୋ-ଫ୍ରେଣ୍ଡଲି ଡଙ୍ଗା ତିଆରି କରି ଓଡ଼ିଆ ଘରର ବିଧି ଅନୁଯାୟୀ ଡଙ୍ଗାକୁ ପୂଜାର୍ଚ୍ଚନା କରି ଏକ ଅସ୍ଥାୟୀ କ୍ଷୁଦ୍ର ଜଳାଶୟରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି । ଜନସଚେତନତା ଉଦ୍ଦେଶ୍ୟରେ ଦେଇଛନ୍ତି ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ବୋଇତ ବନ୍ଦାଣ ଉତ୍ସବର ସନ୍ଦେଶ । ଏ ସମ୍ପର୍କରେ କୁନି ଚିତ୍ରଶିଳ୍ପୀମାନେ କୁହନ୍ତି ଜଳ ହେଉଛି ଏକ ମୂଲ୍ୟବାନ ପ୍ରାକୃତିକ ସମ୍ପଦ । କଥାରେ ଅଛି ଜଳ ହିଁ ଜୀବନ । ଧର୍ମ ନାଁ ରେ ଜଳକୁ ଆମେ ଦୂଷିତ କରିବା ନାହିଁ । ଧର୍ମ ଠାରୁ ବହୁ ଉର୍ଦ୍ଧ୍ୱରେ ଆମର ଏ ଜଳ ସମ୍ପଦ । ଏହି ପବିତ୍ର ଦିନଟିରେ ଆମେ ସମସ୍ତେ ପରିବେଶ ଅନୁକୂଳ ଡଙ୍ଗା ଏବଂ ଅସ୍ଥାୟୀ ଜଳାଶୟର ବ୍ୟବହାର ଲାଗି ଗୁରୁତ୍ୱ ଦେବା ଉଚିତ୍ । ନଚେତ୍ ଏ ଜଳ ଉତ୍ସ ଗୁଡ଼ିକ ମରିଯିବ । ଶେଷରେ କୁନି ଚିତ୍ରଶିଳ୍ପୀମାନେ ଏହି ଅବସରରେ ଜଳ ବଞ୍ଚାଅ, ଜୀବନ ବଞ୍ଚାଅ ନୀତିକୁ ଆପଣେଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କାର୍ଯ୍ୟକ୍ରମକୁ ଚିତ୍ରଶାଳାର ପ୍ରତିଷ୍ଠାତା ଅନସୂୟା ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ