ପାରଳାରେ ମୋ ସରକାର ପାଇଁ ସ୍ୱତନ୍ତ୍ର କେନ୍ଦ୍ର ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ୨୦୨୦ ଜାନୁଆରି ୧ ତାରିଖ ଠାରୁ ମୋ ସରକାର ଯୋଜନାର ୫ଟି କାର୍ଯ୍ୟକ୍ରମ ସକାଶେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ୱୟନ ଆରମ୍ଭ ହେବ । ପରୀକ୍ଷାମୁଳକ ଭାବେ ସେହି କାର୍ଯ୍ୟ ସମ୍ପର୍କିତ ସେବା ଯୋଗାଇ ଦେବା ପାଇଁ ସ୍ଥାନୀୟ ପୌର ସଂସ୍ଥା କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କେନ୍ଦ୍ରକୁ ଜିଲ୍ଲାପାଳ ଅନୁପମ ସାହା ଉଦ୍ଘାଟନ କରିଛନ୍ତି । ପୌର ସଂସ୍ଥା ଅଧୀନରେ ଚାଲିଥିବା ୫ଟି ସେବା ମୁଖ୍ୟତଃ ଟ୍ରେଡ ଲାଇସେନ୍ସ,ଘର ଟିକସ,ଦୋକାନ ଟିକସ,ଘର ନକ୍ସା ଓ ଜାଗା ନକ୍ସା ଅନୁମୋଦନ ଏବଂ ପାନୀୟ ଜଳଯୋଗାଣ ଆଦି କାର୍ଯ୍ୟ ସୁଚାରୁ ରୁପେ ଜନସାଧାରଣଙ୍କୁ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟଗୁଡିକ ହାସଲ କରିବା ପାଇଁ କିଛି ଅଭିଯୋଗ ଥିଲେ ଲୋକେ ଉକ୍ତ କେନ୍ଦ୍ରରେ ଅଭିଯୋଗ କରିପାରିବେ । ଆବଶ୍ୟକ ସ୍ଥଳେ ଏହି କାର୍ଯ୍ୟ ସମ୍ପର୍କରେ ରାଜ୍ୟର ଉଚ୍ଚାଧିକାରୀ ମଧ୍ୟ ଅଭିଯୋଗକାରୀଙ୍କୁ ଫୋନ ମାଧ୍ୟମରେ ବୁଝିବେ ବୋଲି ସୁଚନା ରହିଛି । ଏହି କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ସମସ୍ତ ପୌର କର୍ମଚାରୀ ଯୋଗ ଦେଇଥିଲେ ।


