ପ୍ରଗତି କଳାକେନ୍ଦ୍ର ର ସପ୍ତମ ବାର୍ଷିକ ଉତ୍ସବ ପାଳିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଲୋକନୃତ୍ୟ, ଲୋକକଳା ଓ ବିଭିନ୍ନ ନୃତ୍ୟରେ କମ୍ପି ଉଠିଲା ସାଂସ୍କୃତିକ ମଂଚ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପ୍ରଗତି କଳା କେନ୍ଦ୍ର ର ସପ୍ତମ ବାର୍ଷିକ ଉତ୍ସବ ସ୍ଥାନୀୟ ପଣ୍ଡା କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଣପ୍ପା, ଲିଙ୍ଗରାଜ କଠଉ , ଚଢେୟା ଚଢେୟାଣୀ ନୃତ୍ୟ, ସମ୍ବଲପୁରୀ ଓ କୁମ୍ଭ ନୃତ୍ୟ ପରିବେଷଣ କରାଯାଇଥିଲା । ନୃତ୍ୟର ତାଳେ ତାଳେ ଦର୍ଶକ ମାନେ ଝୁମି ଉଠିଥିଲେ । ଉପସ୍ଥିତ ଅଭିଭାବକ, ଅଭିଭାବିକା ଏବଂ ଅତିଥି ମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମନ ଖୋଲି ଉପଭୋଗ କରିଥିଲେ । ପ୍ରଗତି କଳା କେନ୍ଦ୍ର କାର୍ଯ୍ୟାଳୟ ର ପରିଚାଲିକା ଏମ୍. ରାଧା କୁମାରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାବେ ସଙ୍ଗୀତ ରତ୍ନ, ଗ୍ଲୋବାଲ ଡ୍ୟାନ୍ସ ଆଇକନ ତଥା ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କୁନି କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଗଞ୍ଜାମ ମାଟି କଳା ଓ ସଂସ୍କୃତିର ମାଟି । ଏହି ମାଟି ଅନେକ କଳାକାର ମାନଙ୍କୁ ଜନ୍ମ ଦେଇଛି । ଏଠି କଳାକାର ମାନଙ୍କୁ ସମ୍ମାନ ଦିଆଯାଏ । ଯାହା ଫଳରେ ଏଠାକାର ପ୍ରତିଭାବାନ କଳାକାର ମାନେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି । ଏଣୁ ଏହି ମାଟିରେ ମୁଁ ଉପସ୍ଥିତ ରହିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ନିଜ ଅଭିଭାଷଣରେ ଆନ୍ତର୍ଜାତୀୟ ନୃତ୍ୟ ଗୁରୁ ଶ୍ରୀ ଯୋଶୀ କହିଥିଲେ । ପ୍ରଗତି କଳା କେନ୍ଦ୍ର ପ୍ରଗତି ପଥରେ ଆଗେଇବ ବୋଲି ମଧ୍ୟ ସେ କହିଥିଲେ । ଅତିଥି ଭାବେ ପରିଚୟ ଫାଉଣ୍ଡେସନ ର ସଭାପତି ଡ଼ଃ. ରୋଜାଲିନ ପାଟଶାଣି ମିଶ୍ର, ସଂସ୍କୃତି ବିଭାଗର ଅବସର ପ୍ରାପ୍ତ ସରକାରୀ ନିର୍ଦେଶକ ଡ଼ଃ. ପ୍ରତାପ କୁମାର ସାହାଣୀ, ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ବେହେରା, ଗ୍ରନ୍ଥାଦକ୍ଷ (ରାଜ୍ୟ ପାଠାଗାର) ଅମୀୟ କୁମାର ଧଳ, ଅନୁଷ୍ଠାନ ର ସଭାପତି ଅରୁଣ କୁମାର ଶତପଥି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଅନୁଷ୍ଠାନର ଉତ୍ତୋରତ୍ତୋର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ସୁଧାଂଶୁ ଶେଖର ଶତପଥିଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଗତି କଳା କେନ୍ଦ୍ର ର ସମ୍ପାଦକ ସୁଧାଂଶୁ ଶେଖର ଶତପଥି ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ବହୁ ସଦସ୍ୟ ଓ କଳାକାର ମାନେ ସହ ଯୋଗ କରିଥିଲେ । ଏହି ଅବସରରେ ଚଢ଼େୟା, ରଣପ୍ପା, ଦାସ କାଠିଆ ଆଦି ଲୋକନୃତ୍ୟ ରେ ମଞ୍ଚ ଦୁଲୁକିଥିଲା l