ବାଲେଶ୍ୱର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ବର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଆଜି ସକାଳ ଘ ୧୦.୩୦ମି ସମୟରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୮ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ସମ୍ପୃକ୍ତ ସମସ୍ତ ଯୋଗ୍ୟ ଭୋଟର ସମ୍ବଳିତ ଏହି ଚୂଡାନ୍ତ ଭୋଟର ତାଲିକାକୁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରକାଶ କରିଥିଲେ। ଜିଲ୍ଳା ନିର୍ବାଚନ କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତ ଭୋଟର ତାଲିକାର ଏହି ପ୍ରକାଶନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ବାଲେଶ୍ବର ଉପ ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚୌହାନ, ନୀଳଗିରି ଉପ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଡେପୁଟୀ କଲେକ୍ଟର ସୁଶ୍ରୀ ଗାୟତ୍ରୀ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ନିମନ୍ତ୍ରିତ ରାଜନୈତିକ ଦଳର ଜିଲ୍ଲା କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଭୋଟର ତାଲିକା ପ୍ରକାଶ କରାଯାଇଥିଲା। ଏହି ଭୋଟର ତାଲିକା ଚୂଡାନ୍ତ ଅଟେ ଏବଂ ଆଗାମୀ ନିର୍ବାଚନ ପୂର୍ବରୁ ଆଉ କୌଣସି ସଂଶୋଧନ କରାଯିବ ନାହିଁ ବୋଲି ଜିଲ୍ଲାପାଳ କହିବା ସହିତ କୌଣସି ଅନୁପସ୍ଥିତ ଭୋଟରଙ୍କ ତଥ୍ୟ ସାମନାକୁ ଆସିଲେ ତାହା ବୁଥ ସ୍ତରରେ ଜଣାଇ ପ୍ରକାଶିତ ତାଲିକାରେ ଚିହ୍ନିତ କରାଇବା ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଭୋଟିଂ ମେସିନର ବ୍ୟବହାର ଓ କାର୍ଯ୍ୟକାରିତା ଉପରେ ବିଶେଷ ଭାବେ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ଏବଂ ଏ ସମସ୍ତ କାର୍ଯ୍ୟକ୍ରମରେ ରାଜନୈତିକ ଦଳର ପ୍ରତିନିଧି ମାନେ ସାମିଲ ରହିବେ ବୋଲି ସେ କହିଥିଲେ। ପ୍ରକାଶ ଥାଉକି ବିଗତ ଦିନରେ ଯୁବ ଭୋଟର ମାନଙ୍କୁ ତାଲିକାରେ ଯୋଗ କରିବା ପାଇଁ ବିଭିନ୍ନ ପ୍ରୋତ୍ସାହନ ମୂଳକ କାର୍ଯ୍ୟକ୍ରମ ମାନ କରାଯାଇ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କରାଯିବା ପରେ ଏହି ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଅଛି। ଉଲ୍ଲେଖ ଯୋଗ୍ୟ ଯେ ଏହି ଭୋଟର ତାଲିକା ପ୍ରତ୍ୟେକ ପୋଲିଂ ବୁଥ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ କରାଯାଇଅଛି।