କୋଣାର୍କ ପାର୍କିଂ ସ୍ଥାନ ଖାଲି, ରାସ୍ତାରେ ଗାଡ଼ି ମାଳମାଳ

କୋଣାର୍କ : କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତାରେ ପ୍ରତ୍ୟେହ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଏହି ରାସ୍ତାଦେଇ ସାଧାରଣତଃ ବହୁ ପର୍ଯ୍ୟଟକଙ୍କ ବସ୍ କାର୍ କୋଣାର୍କ ସୂର୍ଯ୍ୟମନ୍ଦିର ସହ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଦେଖିବାପାଇଁ ଭିଡ଼ ଜମାଇଥାନ୍ତି । କୋଣାର୍କର ବିଭିନ୍ନ ଜାଗାରେ ଗାଡ଼ି ପାର୍କିଂ ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ମାତ୍ର କେତେକ ବେପୁରଆ ଗାଡ଼ି ଚାଳକ ପ୍ରଶାସନ ଓ ପୁଲିସ ନିର୍ଦ୍ଦେଶ ନମାନି ସ୍ଥାନୀୟ ଯୁବକଙ୍କୁ ହାତ କରି ରାସ୍ତା କଡ଼ରେ ବସ୍ କାର୍ ପାର୍କିଂ କରି ନିଜ ପାଇଁ ତଥା ଅନ୍ୟମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ବିଶେଷକରି ଚନ୍ଦ୍ରଭାଗାରେ ସୂର୍ଯ୍ୟ ଦର୍ଶନ ସହିତ ସମୁଦ୍ର ସ୍ନାନ ପାଇଁ ନାହିଁନଥିବା ଭିଡ଼ ଲାଗୁଥିବାବେଳେ ପର୍ଯ୍ୟଟକ ରାସ୍ତା କଡ଼ରେ ପାର୍କିଂ କରି ସମୁଦ୍ର ପରିଦର୍ଶନ କରୁଛନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଗାଡ଼ିଗୁଡ଼ିକ ପଡ଼ିରହିବା ଦ୍ୱାରା ଦୁର୍ଘଟଣା ବୃଦ୍ଧି ପାଉଥିବା ନଜିର ଅଛି । ନିକଟରେ ଉକ୍ତ ସ୍ଥାନରେ ୪-୫ଟି ଦୁର୍ଘଟଣା ଘଟି ମୃତାହତ ହୋଇଥିଲା । ମାତ୍ର ସ୍ଥାନୀୟ ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଚନ୍ଦ୍ରଭାଗାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ପାର୍କିଂ ନିର୍ମାଣ କରାଯାଇଥିଲେ ମଧ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପାର୍କିଂ ସ୍ଥାନଟି ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇପଡ଼ିଛି । ଫଳରେ ଏହି ପାର୍କିଂରେ ପର୍ଯ୍ୟଟକ ଗାଡ଼ି ରଖିବାକୁ ନାପସନ୍ଦ କରି ରାସ୍ତା ପାଶ୍ୱର୍ରେ ପାର୍କିଂ ପାଇଁ ବାଧ୍ୟ ହେଉଛନ୍ତି ।
ଏନ୍ଏସି କର୍ତ୍ତୃପକ୍ଷ ପାର୍କିଂ ସ୍ଥାନ ସଫେଇ ପାଇଁ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଏଥିସହ ସ୍ଥାନୀୟ ପୁଲିସ ପ୍ରଶାସନ ମଧ୍ୟ ତାଗିଦ୍ କରି ଚୁପ୍ ହୋଇ ବସିପଡ଼ୁଛି । ଏ ନେଇ ସ୍ଥାନୀୟ ଜନସାଧାରଣଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏ ସଂପର୍କରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍.ଶ୍ରୀନିବାସ କହିଛନ୍ତି ପାର୍କିଂ ଓ ଚନ୍ଦ୍ରଭାଗାର ବିଭିନ୍ନ ସ୍ଥାନ ସଫେଇ ପାଇଁ ପଦକ୍ଷେପ ନିଆଯିବ । ଏ ସଂପର୍କରେ ଥାନାଧିକାରୀ ସଞ୍ଜିବ କୁମାର ପ୍ରଧାନଙ୍କୁ କହିଛନ୍ତି ବେଆଇନ୍ ଭାବେ ରାସ୍ତାକଡ଼ରେ ପାର୍କିଂ କରୁଥିବା ଗାଡ଼ିଗୁଡ଼ିକୁ ବିଭିନ୍ନ ସମୟରେ ତାଗିଦ୍ କରାଯାଇ ଜରିମାନା ଆଦାୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ