ସାନଖେମୁଣ୍ଡିରେ ବିଜେଡିର ପାର୍ଟି ଅଫିସ୍ ଉଦ୍ଘାଟନ ଓ ପ୍ରଚାର ଆରମ୍ଭ

ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପାଟପୁର ଗାନ୍ଧୀ ଛକ ଠାରେ ସୋମବାର ଅପରାହ୍ନରେ ବିଜେଡିର ପାର୍ଟି ଅଫିସ୍ ଉଦ୍ଘାଟିତ ହୋଇଯାଇଛି । ଧରାକୋଟ ରାଣୀ ତଥା ବିଧାୟିକା ପ୍ରାର୍ଥିନୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏହା ପରେ ଗାନ୍ଧୀ ଛକରୁ ନିର୍ବାଚନ ପ୍ରଚାର ପ୍ରସାରର ଶୁଭାରମ୍ଭ କରିଥିଲେ । ଗତ ୫ ବର୍ଷ ଧରି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମୁତୟନ ରହିଥିବା ଶାନ୍ତିର ବାତାବରଣ ଏବଂ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନାଭିମୁଖୀ ଯୋଜନାକୁ ପ୍ରମୁଖ ନିର୍ବାଚନ ଇସ୍ତହାର ନେଇ ମଇଦାନକୁ ଓହ୍ଲାଇଛନ୍ତି ବୋଲି ସେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ଏହି ଅବସରରେ ବିଜେଡିରେ ରହିଥିବା ଅନ୍ତଃଦ୍ୱନ୍ଦର ଅବସାନ ଘଟିଥିବା ଦେଖିବାକୁ ମିଳିଥିଲା । ଉଭୟ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ଦଳୀୟ କର୍ମୀ ଓ ନେତୃମଣ୍ଡଳୀ ପାର୍ଟି ଅଫିସ୍ ଉଦ୍ଘାଟନ ପରେ ପରସ୍ପରକୁ ମିଠେଇ ଖୁଆଇ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ସଂକଳ୍ପିତ ହୋଇଥିଲେ । ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଠାରୁ ଦେଖାଦେଇଥିବା ରାଣୀ ଓ ଲତିକା ବିଜେଡି କର୍ମୀ ମାନଙ୍କ ଏକତ୍ରିକରଣ ଦେଖିବାକୁ ମିଳିଥିଲା । ଗତ କିଛି ଦିନ ହେଲା ରାଣୀ ନନ୍ଦିନୀଙ୍କ ପାଇଁ ସଂଗଠନ କରିଆସୁଥିବା ଶ୍ୱେତଗଙ୍ଗା ସଫେଇ କରିଥିବା ସାମାଜିକ କର୍ମୀ ମଙ୍ଗୁଳୁ ପାତ୍ରଙ୍କୁ ଏହି ଶିବିରରେ ଦେଖିବାକୁ ମିଳିଥିଲା । ସେହିପରି ବିଧାୟିକ ଟିକଟ ଦୌଡରେ ରହିଥିବା ଜିଲ୍ଲା ସମ୍ପାଦକ ତଥା ଓସକାର୍ଡ ବ୍ୟାଙ୍କ୍ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କୁ ମଧ୍ୟ ପ୍ରଚାର ଶୁଭାରମ୍ଭ କାର୍ଯ୍ୟରେ ଯୋଗଦେବା ସହିତ ରାଣୀ ମାଙ୍କ ବିଜୟ ପାଇଁ ନିର୍ବାଚନୀ ପ୍ରଚାର କରିଥିଲେ । ପରେ ଶତାଧିକ ସମର୍ଥକଙ୍କ ଗହଣରେ ରାଣୀ ନନ୍ଦିନୀଦେବୀ ସାହାସପୁର, ପାଟପୁର, ଜୟନଗର, ଉସ୍ତାଜଗନ୍ନାଥପୁର, ଏରେଣ୍ଡ୍ରା, କଙ୍କୋରଡା, ଆଡପଡା ଗ୍ରାମ ଆଦି ବୁଲି ପ୍ରଚାର କରିବା ସହିତ ଭୋଟ ଭିକ୍ଷା କରିଥିଲେ । କୌଣସି ଗୋଷ୍ଠୀଗତ ବିଦ୍ୱେଷ ନରଖି ସମସ୍ତ ବିଜେଡି କର୍ମୀ ଓ ନେତୃମଣ୍ଡଳୀ ଦଳ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ୍ ଦିଆଯାଇଥିଲା । ଉକ୍ତ ପ୍ରଚାର କାର୍ଯ୍ୟକ୍ରମରେ ସହଦେବ ପ୍ରଧାନ, ଗୋବିନ୍ଦ ସ୍ୱାଇଁ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ମାଧବ ରାଉତ, ସନ୍ତୋଷ ବିଷୋୟୀ, ସଙ୍ଗୀତା ବେହେରା, ଦୂର୍ଗାନାୟକ, ସମୀରକାନ୍ତ ତ୍ରିପାଠୀ, ମାଧବ ଦୋରା, ଅମୀନ ପ୍ରଧାନ, ଶଙ୍କର୍ଷଣ ସ୍ୱାଇଁ, ନିତ୍ୟାନନ୍ଦ ପ୍ରଧାନ, ବସନ୍ତ ସ୍ୱାଇଁ ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ନେତୃମଣ୍ଡଳୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ