ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବୀ ଫୋରମ୍ କାର୍ଯ୍ୟକାରିଣୀ ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ଏନ୍ଏସି କଲ୍ୟାଣମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବୀ ଫୋରମ୍ର କାର୍ଯ୍ୟକାରିଣୀ ବୈଠକ ଉପଦେଷ୍ଟା ବି.ସିମାଦ୍ରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ତରଫରୁ ମତ୍ସ୍ୟଜୀବୀ ଓ ସେମାନଙ୍କ ପରିବାର ପାଇଁ ସମସ୍ତ ବିକାଶମୂଳକ ଯୋଜନା ଗୁଡିକ କିପରି ସଫଳ ରୂପାୟନ ହୋଇପାରିବ ଏବଂ ବାକି ସମସ୍ୟା ଗୁଡିକୁ ସରକାରଙ୍କ ଦୃଷ୍ଟିଗୋଚରକୁ ନେଇ ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବିଶେଷକରି ଆର୍ଯ୍ୟପଲ୍ଲୀ ଠାରେ ନୂତନ ମାଛଧରା ବନ୍ଦର ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରକ୍ରିୟା ଜାରି ରହିଛି ବୋଲି ବିଧାୟକ କହିଛନ୍ତି । ବୈଠକରେ ଫୋରମ୍ର ସଭାପତି ଏମ୍.ଗୁମାଲୀ, କାର୍ଯ୍ୟକାରୀ ସଭାପତି ଏସ୍.ରାଜା ରାଓ ମତ୍ସ୍ୟଜୀବୀମାନଙ୍କ ସମସ୍ୟା ଏବଂ ସରକାରଙ୍କ ବିକାଶମୂଳକ ଯୋଜନା ସଂପର୍କରେ କହିଥିଲେ । ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା ମତ୍ସ୍ୟଜୀବୀଙ୍କ ପାଇଁ ସରକାରଙ୍କ ଯୋଜନା ଗୁଡିକ କିପରି ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରିବ ସେଥିପ୍ରତି ସ୍ଥାନୀୟ ବିଧାୟକଙ୍କ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନ୍ଏସିର୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ମତ୍ସ୍ୟଜୀବୀ ଫୋରମ୍ର ଉପସଭାପତି ଭି.ବୁଦ୍ଧିମନ୍ତ ରାଓ, ସଂପାଦକ ଏନ୍.ଗୋପାଲ, ଯୁଗ୍ମ ସଂପାଦକ ବି.ଭୀମସେନ ଓ କୋଷାଧ୍ୟକ୍ଷ ଏମ୍.ଦିଲ୍ଲୀ ପ୍ରମୁଖ ମଞ୍ଚାସୀନ ଥିଲେ ।


