ଜିଲ୍ଲାସ୍ତରୀୟ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏକ ସମୃଦ୍ଧ ପ୍ରଗତିଶୀଳ ବିକଶିତ ରାଷ୍ଟ୍ର ନିର୍ମାଣରେ ଯୁବକମାନଙ୍କ ସହଭାଗୀତା ନିତାନ୍ତ ଜରୁରୀ । ଯୁବପିଢୀ ହେଉଛନ୍ତି ଦେଶର ଭାଗ୍ୟ ଓ ଭବିଷ୍ୟତ । ଆଗାମୀ ସମୟର ଭାରତର ନିର୍ମାତା ହେଉଛନ୍ତି ଯୁବ ଶକ୍ତି । ଯୁବ ଶକ୍ତି ଜାଗ୍ରତ ହେଲେ ରାଷ୍ଟ୍ରର ବିକାଶ ସମ୍ଭବ ହୋଇପାରିବ । ଏଣୁ ଯୁବଶକ୍ତିର ଉପଯୁକ୍ତ ବିନିଯୋଗ ହେବା ଆବଶ୍ୟକ ବୋଲି ଜିଲ୍ଲାସ୍ତରୀୟ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ମତପ୍ରକାଶ କରିଛନ୍ତି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ଆନୁକୂଲ୍ୟରେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଅଣ୍ଡର ସେକ୍ରେଟାରୀ ଜନ୍ମେଜୟ ସାହୁ, ସମ୍ମାନିତ ଅତିଥିରୂପେ ଏନ୍.ସି.ଏସ୍.ସି.ଡି.ଏର ପୂର୍ବତନ ମୁଖ୍ୟ ରାମ କିଶୋର ଶର୍ମା, କିଟ୍ ବିଶ୍ୱବିଦ୍ୟାଳୟର ଏନ୍.ଏସ୍.ଏସର ପ୍ରକଳ୍ପ ଅଧିକାରୀ ସ୍ମୃତିରଞ୍ଜନ ଦାଶ, ରେଜିଷ୍ଟାର ଜ୍ଞାନ ରଞ୍ଜନ ମହାନ୍ତି, କାର୍ଯ୍ୟକ୍ରମ ସଂଯୋଜକ ଡ.କାଜଲ ପ୍ରସାର, ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ବିପିନ୍ କୁମାର ପ୍ରମୁଖ ଯୋଗ ଦେଇଥିଲେ । ଏହି ଯୁବ ସଂସଦ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସମସ୍ୟା ସହ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଯଥା ବେଟୀ ବଚାଓ, ବେଟୀ ପଢାଓ, ଖେଲୋ ଇଣ୍ଡିଆ, ପିଏମ୍ ଉଜ୍ଜ୍ୱଳା ଯୋଜନା, ଜନନୀ ସୁରକ୍ଷା ଯୋଜନା, ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା, ପିଏମ୍ ବିଶ୍ୱକର୍ମା ଯୋଜନା, ମହିଳା ସମ୍ମାନ ଯୋଜନା, ପିଏମ୍ କିଶାନ ସଂପଦ ଯୋଜନା ସଂପର୍କରେ ଯୋଗଦେଇଥିବା ଯୁବ ପ୍ରତିନିଧିମାନେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ କୁଳମଣି ମଲ୍ଲିକ, ଶୁଭେନ୍ଦ୍ର ନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


