ସାହାରା ଇଣ୍ଡିଆ ଜମାକାରୀଙ୍କ ସମାବେଶ ଆସନ୍ତା ୨୦ରେ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୨୦ତାରିଖ ବୁଧବାର ଦିନ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ସାହାରା ଇଣ୍ଡିଆର ଜମାକାରୀ ଓ କାର୍ଯ୍ୟକର୍ତ୍ତାମାନଙ୍କ ମିଳିତ ମଞ୍ଚ ପକ୍ଷରୁ ସହସ୍ରାଧିକ ନରନାରୀ ସମାବେଶ ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରବିବାର ଦିନ ଅପରାହ୍ନରେ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାହାରା ଇଣ୍ଡିଆ ଜମାକାରୀ ଓ କାର୍ଯ୍ୟକର୍ତ୍ତା ମିଳିତ ମଞ୍ଚର ସଂପାଦକ କାର୍ତ୍ତିକ ଚାନ୍ଦ ଉପସ୍ଥିତମାନଙ୍କୁ ସଂଗ୍ରାମୀ ଅଭିନନ୍ଦନ ଜଣାଇ ଦୀର୍ଘବର୍ଷ ଧରି ସାହାରା ଇଣ୍ଡିଆ ସଂସ୍ଥାରେ ଅର୍ଥ ଜମା କରିଆସୁଥିବା ଜମାକାରୀ ଓ ଏଜେଣ୍ଟମାନଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ଗତ ୨୦୧୨ ମସିହାରେ କେନ୍ଦ୍ର ସରକାରଙ୍କ ପରିଚାଳିତ ସଂସ୍ଥା ‘ସେବି’, ସାହାରା ଇଣ୍ଡିଆ ଉପରେ କେତେକ ମୋକଦ୍ଦମା କରିବାଦ୍ୱାରା ଅଦାଲତମାନଙ୍କ ଅଙ୍କୁଶ ଫଳରେ ଜମାକାରୀମାନେ ଜମାଟଙ୍କା ଫେରିପାଇବାରେ ଓ ସଂସ୍ଥାର ଏଜେଣ୍ଟମାନେ ସେମାନଙ୍କ ପ୍ରାପ୍ୟ ପାଇବାରେ ବ୍ୟାପକ ଅବ୍ୟବସ୍ଥା ଆରମ୍ଭ ହୋଇଥିଲା । ଫଳରେ ଜମାକାରୀଙ୍କ ଅସନ୍ତୋଷ ବଢ଼ିଥିଲା । ଗତବର୍ଷ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶମତେ ସେବି ପାଖରେ ଜମାଥିବା ସାହାରା ଇଣ୍ଡିଆର ଟଙ୍କାରୁ କେନ୍ଦ୍ରୀୟ ସମବାୟ ରେଜିଷ୍ଟରଙ୍କୁ ୫ ହଜାର କୋଟି ଟଙ୍କା କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ ପାଇଁ ପ୍ରଦାନ କରାଯାଇଥିଲା । କିନ୍ତୁ ଅନ୍‌ଲାଇନ୍‌ରେ ଆବେଦନ କରିବାର ଜଟିଳ ବ୍ୟବସ୍ଥା କାରଣରୁ ଗତ ବାରମାସ ମଧ୍ୟରେ ମାତ୍ର ୨୫୦ କୋଟି ଟଙ୍କା ଫେରସ୍ତ କରାଯାଇଛି । ଆବେଦନ ପ୍ରକ୍ରିୟା ସରଳୀକରଣ କରାଗଲେ ବହୁ କ୍ଷୁଦ୍ର ଜମାକାରୀ ଏହି ଟଙ୍କାରୁ ଜମାଟଙ୍କା ଫେରସ୍ତ ପାଇପାରନ୍ତେ ବୋଲି ସଂପାଦକ ଶ୍ରୀ ଦେ ପ୍ରକାଶ କରିଥିଲେ । ସାହାରା ଇଣ୍ଡିଆ ଜମାକାରୀଙ୍କ ଠାରୁ ସଂଗ୍ରହ କରିଥିବା ପୁଞ୍ଜିର ପରିମାଣରୁ ଯଥେଷ୍ଟ ଅଧିକ ପୁଞ୍ଜି କଂପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଗଚ୍ଛିତ ଅଛି ଓ କେନ୍ଦ୍ର ସରକାର ଏବଂ ସଂପୃକ୍ତ ସରକାରୀ ସଂସ୍ଥାମାନଙ୍କ ଆନ୍ତରିକତା ଅଭାବରୁ ଏହି କମ୍ପାନୀର ଜମାକାରୀ ଓ ଏଜେଣ୍ଟମାନେ ଏକ ଅନିଶ୍ଚିତତା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି । ସର୍ବଶ୍ରୀ ଗୌତମ ଚନ୍ଦ୍ର ମହାରଣା, ମନୋରଂଜନ ମଲ୍ଲିକ, ମନୋଜ ବେହେରା, କ୍ଷିତିଶ ରାଉତ, ତପନ କୁମାର ବିଶ୍ୱାଳ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଗତ ୧୯୭୮ ମସିହାରେ ପ୍ରତିଷ୍ଠିତ ସାହାରା ଇଣ୍ଡିଆ ଭଳି ଏକ ପୁରାତନ କଂପାନୀକୁ ଭରସା କରିଥିବା ପରିବାରମାନଙ୍କ ଦୁର୍ଦ୍ଦଶା ସଂପର୍କରେ ବର୍ଣ୍ଣନା କରିଥିଲେ ।ସିଭିଲ୍ ସୋସାଇଟିର ସଂପାଦକ ତଥା ଓକିଲ ସଂଘର ସଭାପତି ମନୋଜ ନାୟକ, ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଶରତ ଚନ୍ଦ୍ର ଦଳାଇ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ସାହାରା ଇଣ୍ଡିଆ କଂପାନୀ ଓ ସରକାରୀ କଟକଣାର ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଦେଶର କୋଟିକୋଟି ଜମାକାରୀଙ୍କ ପରିବାର କଷ୍ଟାର୍ଜିତ ଧନ ଫେରିପାଇବାରେ ଏପରି ଦୁରାବସ୍ଥା ସୃଷ୍ଟି ହୋଇଛି ବୋଲି ମତ ଦେଇଥିଲେ । ଦୀର୍ଘ ଆଲୋଚନା ପରେ ଆସନ୍ତା ୨୦ ତାରିଖ ବୁଧବାର ଦିନ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ସମାବେଶ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶୁକ୍ରବାର ୧୦ଟାରେ ବାଲେଶ୍ୱର ରେଳଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଫାଟକ ନିକଟରେ ପହଞ୍ôଚବ । ସାହାରା ଇଣ୍ଡିଆର ସମସ୍ତ ଜମାକାରୀ ଓ କାର୍ଯ୍ୟକର୍ତ୍ତାମାନେ ଏହି ସମାବେଶରେ ଯୋଗଦେବାକୁ ଆହ୍ୱାନ ଦିଆଯାଇଛି । ବାଲେଶ୍ୱର ସିଭିଲ୍ ସୋସାଇଟି ଏହି ଜମାକାରୀଙ୍କ ଯଥାର୍ଥ ଦାବି ଓ ପ୍ରସ୍ତାବିତ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଛି । ଶେଷରେ ଅନନ୍ତ କୁମାର ଶତପଥୀ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ