ସମାଜବାଦୀ ଚିନ୍ତକ ଡଃ ଲୋହିଆଙ୍କର ଜନ୍ମ ଜୟନ୍ତୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜବାଦୀ ଚିନ୍ତକ, ସ୍ୱାଧୀନତା ସଂଗ୍ରାମୀ, ପ୍ରଖର ବାଗ୍ମୀ ଓ ସାମାଜିକ ନ୍ୟାୟର ଅଗ୍ରଦୂତ ଡଃ ରାମ ମନୋହର ଲୋହିଆଙ୍କର (୨୩ ମାର୍ଚ୍ଚ ୧୯୧୦) ଜନ୍ମଜୟନ୍ତୀ ଶନିବାର ଦିନ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଲୋହିଆଙ୍କ ସମାଜବାଦୀ ଚିନ୍ତା ଉପରେ ଆଲୋଚନା କରାଯାଇ ଆଜି ସାମାଜିକ ନ୍ୟାୟ କିଭଳି ବିପନ୍ନ, ସେ ବିଷୟରେ ଶ୍ରୀ ବେହେରା ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମାଜିକ ନ୍ୟାୟ ଓ ଧର୍ମ ନିରପେକ୍ଷତାରେ ବିଶ୍ୱାସ କରୁଥିବା ସମସ୍ତ ରାଜନୈତିକ ଦଳ ଓ ଗଣସଂଗଠନ ଗୁଡ଼ିକ ଓଡ଼ିଶାରେ ଓବିସିଙ୍କୁ ଶିକ୍ଷା, ନିଯୁକ୍ତି ଓ ରାଜନୈତିକସ୍ତରରେ ୨୭ଭାଗ ସଂରକ୍ଷଣ ଦେବା ପାଇଁ ଗଣ ଆନ୍ଦୋଳନକୁ ଜୋରଦାର କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ ।ଏହାବ୍ୟତୀତ ଯୁବକ୍ରାନ୍ତିର ଆଦର୍ଶ, ସହିଦ ଭଗତ ସିିଂଙ୍କ ଫାଶି ଦିବସ ମଧ୍ୟ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଆଜି ଫାଶିବାଦ ଯେତେବେଳେ ଭାରତବର୍ଷର ଗଣତନ୍ତ୍ରକୁ ବିପନ୍ନ କରିଛି, ସେତିକିବେଳେ ଭଗତ ସିଂଙ୍କ ଚିନ୍ତା ଓ ଆଦର୍ଶର ଗୁରୁତ୍ୱ ବଢିଯାଇଛି । ଦେଶର ଯୁବ ସମାଜ ଫାଶିବାଦ ବିରୁଦ୍ଧରେ ଭଗତ ସିଂଙ୍କ ଚିନ୍ତା ଚେତନାରେ ଉଦ୍‌ବୁଦ୍ଧ ହୋଇ ଦେଶରେ ଗଣଆନ୍ଦୋଳନକୁ ତୀବ୍ରତର କରିବାକୁ ସମାଜବାଦୀ ପାର୍ଟି ତରଫରୁ ଆହ୍ୱାନ ଦିଆଯାଇଛି । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖ କାଠଯୋଡ଼ି ନଈବାଲିରେ ଉତ୍କଳମଣି ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ତାଙ୍କର ବିଶାଳ ଜନସଭା ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଦିଶା ଦେଖାଇଥିଲା । ତେଣୁ ଆଜି ଏହି ଉପଲକ୍ଷେ ଡଃ ରାମ ମନୋହର ଲୋହିଆ, ସହିଦ ଭଗତ ସିଂ ଓ ମହାତ୍ମା ଗାନ୍ଧିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବେହେରାଙ୍କ ସମେତ ପାର୍ଟିର କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ରାଜେନ୍ଦ୍ର ସେଠୀ ଓ ଦେଶପ୍ରିୟ ଦାସ ପ୍ରମୁଖ ଏହି ତିନି ମହାତ୍ମାଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ