ନବ ବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା, ସାଧାରଣରେ ଉଦବେଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅନ୍ତର୍ଗତ ବାଟସିରିପୁର ଗ୍ରାମର ଏମ୍. ଲିଙ୍ଗରାଜ(୨୮)ଙ୍କୁ ଗଳାକାଟି ହତ୍ୟା ପରେ ଚାଷ ଜମିରେ ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି. ତୋଟାଗୁମୁଡ଼ା-ବାଟସିରିପୁର ମୁଖ୍ୟରାସ୍ତା କଡ଼ରେ ଥିବା ଏକ ଯାତ୍ରୀ ବିଶ୍ରାମାଗାର ନିକଟରୁ ଆଜି ସକାଳୁ ପୁଲିସ ତାଙ୍କ ଶବକୁ ଜବତ କରିଛି। ମୃତ ଲିଙ୍ଗରାଜ କ୍ଷୁଦ୍ର ଜଳସେଚନ ବିଭାଗର କର୍ମଚାରୀ ବୋଲି ଜଣା ପଡ଼ିଥିବା ସେ ପାରଳାଖେମୁଣ୍ଡି ସହରରେ ରହୁଥିଲେ ଗତ ଦେଢ଼ମାସ ତଳେ ତାଙ୍କର ବିବାହ ହୋଇଥିଲା। ସେ ପିନ୍ଧିଥିବା ସୁନା ଚେନ୍ ଓ ମୁଦି ନଥିବାରୁ ଲୁଟ ପାଇଁ ତାଙ୍କୁ କେହି ଗଳାକାଟି ହତ୍ୟା କରିଥାଇପାରେ ବୋଲି ଅନୁମାନ କରାଯାଇଛି। ଖବର ପାଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ ମହାନ୍ତି, ଏସ୍ଡିପିଓ ମାଧବାନନ୍ଦ ନାୟକଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍କାର୍ଡ ମଧ୍ୟ ପହଞ୍ଚି ଛାନ୍ଭିନ୍ କରିଛନ୍ତି। ତେବେ ଘଟଣାସ୍ଥଳରେ କୌଣସି ରକ୍ତଛିଟା ପଡ଼ି ନଥିବାରୁ ଏହି ହତ୍ୟାକାଣ୍ଡ ଅନ୍ୟ କେଉଁଠାରେ ଭିଆଇ ଏହି ସ୍ଥାନରେ ଫୋପାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି। ଘଟଣାରର ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଆଖପାଖ ସିସିଟିଭି ଫୁଟେଜକୁ ମଧ୍ୟ ତଦନ୍ତରେ ସାମିଲ କରାଯିବ ବୋଲି ଏସ୍ଡିପିଓ ମାଧବାନନ୍ଦ ନାୟକ କହିଛନ୍ତି। ଏନେଇ କେସ୍ ନଂ ୩୫/୨୪ରେ ହତ୍ୟା ମାମଲା ରୁଜୁ କରିଛି।ମୃତ ଲିଙ୍ଗରାଜ ଗତକାଲି ପାରଳାଖେମୁଣ୍ଡିରୁ ନିଜ ଗ୍ରାମ ବାଟସିରିପୁର ଗ୍ରାମକୁ ସମ୍ପର୍କୀୟଙ୍କ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ । ସମସ୍ତେ ବାହାଘର ଉତ୍ସବରେ ମାତିଥିବା ବେଳେ ଲିଙ୍ଗରାଜଙ୍କ ଦେଖା ମିଳିନଥିଲା । ପରିବାରବର୍ଗ ଏବଂ ସମ୍ପର୍କୀୟ ରାତିସାରା ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ । ଲିଙ୍ଗରାଜ କୌଣସି ସମ୍ପର୍କୀୟ କିମ୍ବା ସାଙ୍ଗ ଘରେ ଶୋଇପଡ଼ିଥିବା ଭାବି ପରିବାର ଲୋକେ ସେତେଟା ଧ୍ୟାନ ଦେଇନଥିଲେ। ହେଲେ ଆଜି ସକାଳୁ ସକାଳୁ ରାସ୍ତା କଡ଼ରେ ଏକ ବିଲରେ ତାଙ୍କ ଶବ ପଡ଼ିଥିବା ଗ୍ରାମବାସୀ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ |