ମାଇପି ମେଳା ରେ ଅଧିଆ ପଡିଲେ ୪୨ ମହିଳା ଶ୍ରଦ୍ଧାଳୁ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡ଼ା , କଟକ ଜିଲ୍ଲା ର ନିଆଳି ଓ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ର ମିଳନସ୍ଥଳ ବାଲିପାଟଣା ର ନରିଶୋ ମେଲାଦଣ୍ଡା ପଡ଼ିଆରେ ପ୍ରତିବର୍ଷ ଭଳି ଆରମ୍ଭ ହୋଇଛି ପ୍ରସିଦ୍ଧ ମାଇପି ମେଳା। ପୀଠ ର ଆରାଧ୍ୟ ବନବିହାରୀ ଠାକୁର ଙ୍କ ସମ୍ମୁଖ ରେ ନିଜ ମନ ସ୍କାମନା ପୂରଣ କରିବାକୁ ୪୨ ଜଣ ଶ୍ରଦ୍ଧାଳୁ ମହିଳା ଅଧିଆ ପଡ଼ିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା, ପତାକା ଦାନ ଓ ଭୋଗ ଲାଗି କରିଛନ୍ତି। ପ୍ରାୟ ୨୦୦ ବର୍ଷର ପୁରୁଣା ଏହି ମାଇପୀ ମେଳା ଓଡ଼ିଶା ପ୍ରସିଦ୍ଧ। ଏହି ମେଳା ରେ ମହିଳା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଏହାକୁ ମାଇପି ମେଳା ବୋଲିକୁହାଯାଇଥାଏ। ଏଠାରେ କାହିଁ କେଉଁ କାଳରୁ ୫ ପ୍ରକାର କଣ୍ଟା ଲଟା ଗଛକୁ ବନବିହାରୀ ଙ୍କ ନାମରେ ପୂଜା କରାଯାଇଥାଏ। ଚୈତ୍ର କୃଷ୍ଣ ଦ୍ଵାଦଶୀ ରେ ଏହି ମେଳା ଅନୁଷ୍ଠିତ ହୋଇଥାଏ। ଦୋକାନ ,ବଜାର, ମେଳା ଲାଗିବା ସାଙ୍ଗକୁ ଏଠାରେ ଲକ୍ଷାଧିକ ଜନ ସମାଗମ ହୋଇଥାଏ। ବିଭିନ୍ନ ଘରକରଣା ଜିନିଷ କିଣିବା ସହ ମେଳା ବୁଲି ମଜା ନେଇଥାନ୍ତି ଲୋକମାନେ। ପୂର୍ବ ରାତିରୁ ମୁଣ୍ଡ ଉପରେ ନଡ଼ିଆ ରଖି ମାନସିକଧାରୀ ମାନେ ଅଧିଆ ପଡିଥାନ୍ତି। ସେମାନଙ୍କ ର ମନସ୍କାମନା ପୂର୍ଣ୍ଣ ହୁଏ ବିଶ୍ୱାସ ରହିଛି ।ମଧ୍ୟାହ୍ନରେ ପୂଜକ ଅଧିଆ ପଡିଥିବା ମହିଳା ଭକ୍ତ ମାନଙ୍କୁ ପାଦୁକା ଦେଇ ଉଠାଇଥାନ୍ତି। ଦିନକୁ ଦିନ ଏହି ମେଳା ରେ ମହିଳା ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି ।


