ପୁରୀରେ ୬୦ ହଜାର ଲୋକଙ୍କ ରହଣି ପାଇଁ ସ୍ୱତନ୍ତ୍ର ପ୍ରୋଜେକ୍ଟ
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି । ପୁରୀ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଛି । ତାହା ସହ ନୀତି ବିଭ୍ରାଟ ଓ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଆଲୋଚନା ହୋଇଛି । ନୀତି ବିଭ୍ରାଟ ନେଇ ୩ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ କରାଯାଇଛି । ସେବାୟତଙ୍କ ଉତ୍ତର ମିଳିବା ପରେ ୪ ତାରିଖରେ ମନ୍ଦିର ପ୍ରଶାସନରେ ଶୁଣାଣି ହେବ । ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରି ନୀତି ପରିଚାଳନା ନେଇ ଆଲୋଚନା ହେବ ।
ଅନ୍ୟପଟେ, ପୁରୀରେ ୬୦ ହଜାର ଲୋକଙ୍କ ରହଣି ପାଇଁ ସ୍ୱତନ୍ତ୍ର ପ୍ରୋଜେକ୍ଟ କରାଯିବ । ମାଟିତୋଟାରେ ଭକ୍ତନିବାସ, ୬ଟି କୋଠା ହେବା ସହ ୧ ହଜାର କୋଠରୀ ରହିବ ବୋଲି ସୂଚନା ମିଳିଛି । ପୁରୀ ମହାପ୍ରସାଦ ମୂଲ୍ୟ ନିରୂପଣ କରାଯାଇ ଦର ତାଲିକା ଲଗାଯିବ । ନୀତି ସବକମିଟି ଓ ମନ୍ଦିର ପ୍ରଶାସନଙ୍କ ସହ ଆଲୋଚନା ପରେ ରେଟ ଚାର୍ଟ ଲାଗିବ । ସେପଟେ ଏମାସ ଶେଷ ସୁଦ୍ଧା ସିଂହଦ୍ୱାର ସମ୍ମୁଖ କାର୍ଯ୍ୟ ଶେଷ ହେବ ବୋଲି ଏହି ବୈଠକରେ ଆଲୋଚନା କରାଯାଇଛି ।


