ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ଭାବେ ସାଧାରଣ ନିର୍ବାଚନ ପରିଚାଳନା ଦିଗରେ ଗୁରୁତ୍ୱାରୋପ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ଆଜି ପୂର୍ବାହ୍ନ ଘ. ୧୧ ସମୟରେ ସାଧାରଣ ଓ ପୋଲିସ ପର୍ଯ୍ୟବେକ୍ଷକଗଣ ଜିଲ୍ଲା ପ୍ରଶାସନ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବାଲେଶ୍ୱର ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଜି. ପ୍ରକାଶ (୩୫-ଜଳେଶ୍ୱର, ୩୬- ଭୋଗରାଇ ଓ ୩୭-ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀ), ଶ୍ରୀ ଅରୁଣ ସେଖରୀ (୩୮ – ବାଲେଶ୍ୱର, ୩୯- ରେମୁଣା ଓ ୪୦-ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀ) ଓ ପୋଲିସ ପର୍ଯ୍ୟବେକ୍ଷକ ଶ୍ରୀ ଏ.ଜି ଚୋୖହ୍ୱାନ (ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ) ଓ ଶ୍ରୀ ଅଶୋକ କୁମାର (ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ) ସାମୁହିକ ଭାବେ ଅଧ୍ୟକ୍ଷତା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୀଷ ଠାକରେ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ସମସ୍ତ ତଥ୍ୟର ପ୍ରାସଙ୍ଗିକତା ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ଉପସ୍ଥିତ ଆରକ୍ଷୀ ମହାନିରୀକ୍ଷକ, ପୂର୍ବାଞ୍ଚଳ ଡ. ଦୀପକ କୁମାର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ ନିର୍ବାଚନୀ ସୁରକ୍ଷା ବ୍ୟବସ୍ଥା ସମ୍ବଳିତ ସମସ୍ତ ତଥ୍ୟ ଉପସ୍ଥାପନା କରିଥିଲେ ।ସାଧାରଣ ପର୍ଯ୍ୟବେକ୍ଷକଗଣ ମତଦାନ ନିମନ୍ତେ ଭୋଟରଙ୍କ ସୁବିଧା, ବୁଥ ଗୁଡ଼ିକର ସ୍ଥାନ ଓ ସ୍ଥିତି, ଇଭିଏମ ପ୍ରସ୍ତୁତି, ପୋଲିଂ ଅଧିକାରୀ, ସେକ୍ଟର ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ, ସି ଭିଜିଲ ରିପୋର୍ଟ, ପୋଷ୍ଟଲ ବାଲାଟ, ହୋମ ଭୋଟିଂ, ସମ୍ବେଦନଶୀଳ ବୁଥ, ପୋଲିସ ମୁତୟନ, ଆବଶ୍ୟକ ପୋଲିସ ଫୋର୍ସ, ଫ୍ଲାଇଙ୍ଗ ସ୍କ୍ୱାଡ଼, ଏସଏସଟି, ପୋଲିସ ଟିମ୍ ଓ ଅବକାରୀ ବିଭାଗ ଦ୍ବାରା ବେଆଇନ ନିଶାଦ୍ରବ୍ୟ, ଟଙ୍କା ଜବତ ଉପରେ ସମୀକ୍ଷା କରିଥିଲେ। ବାଲେଶ୍ୱର ଜିଲ୍ଲାର ନିର୍ଵାଚନ ପରିଚାଳନା ପ୍ରସ୍ତୁତିରେ ସନ୍ତୋଷ ବ୍ୟକ୍ତ କରିବା ସହ ଜୁନ ୧ ତାରିଖରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ସମ୍ପୂର୍ଣ ନିରପେକ୍ଷ ଓ ଶାନ୍ତିପୂର୍ଣ ଭାବେ ସମାପନ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ସମସ୍ତ ପର୍ଯ୍ୟବେକ୍ଷକ ଜିଲ୍ଲାରେ ଚାଲୁଥିବା ଭୋଟର ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ନୂତନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସବୁ ଦେଖି ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ୩୮ – ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ରିଟର୍ଣ୍ଣିଙ୍ଗ ଅଧିକାରୀ ଶ୍ରୀ ସୁଧାକର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ନିର୍ବାଚନ ଖର୍ଚ୍ଚ ମନିଟରିଂ ସେଲ ନୋଡାଲ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ତଥା ୪୧-ସୋର ଓ ୪୨-ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀ ରିଟର୍ଣ୍ଣିଙ୍ଗ ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ବାଲେଶ୍ୱର ଉପଜିଲ୍ଲାପାଳ ତଥା ୩୭-ବସ୍ତା ଓ ୩୯- ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀ ରିଟର୍ଣ୍ଣିଙ୍ଗ ଅଧିକାରୀ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ନୀଳଗିରି ଉପଜିଲ୍ଲାପାଳ ତଥା ୪୦-ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଶ୍ରୀ ମନ୍ଦରଧର ମହାଳିକ, ଅତିରିକ୍ତ ଉପଜିଲ୍ଲାପାଳ ତଥା ୩୫-ଜଳେଶ୍ୱର ଓ ୩୬- ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ ରିଟର୍ଣ୍ଣିଙ୍ଗ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ରଥ ଓ ପ୍ରମୁଖ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ