ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ସାଂସ୍କୃତିକ ମହୋତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜରେ ବିଭିନ୍ନ ପ୍ରକାର ଅବସ୍ଥାରେ ତାକୁ ବାସ କରିବାକୁ ପଡ଼ିଥାଏ । ସମାଜରେ ବାସ କରିବାକୁ ହେଲେ ତାର ମୁଖ୍ୟତଃ ତିନୋଟି ମୋøଳିକ ଆବଶ୍ୟକତା ରହିଛି ଖାଦ୍ୟ, ବସ୍ତ୍ର, ବାସଗୃହ । ଏହି ତିନୋଟି ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ମନୁଷ୍ୟ ନିଜର କ୍ଷମତା ଅନୁସାରେ କିଛି କର୍ମ କରିବାକୁ ପଡ଼ିଥାଏ । କିନ୍ତୁ ପ୍ରକୃତରେ କହିବାକୁ ଗଲେ ଏସବୁ ଛାଡ଼ି ମନୁଷ୍ୟର ଆଉ କିଛି ଗୋଟିଏ ନିତାନ୍ତ ଆବଶ୍ୟକତା ରହିଥାଏ । ଆଉ ସେହି ଆବଶ୍ୟକତାଟି ପୂରଣ ହୋଇନପାରିଲେ ମନୁଷ୍ୟ ଜୀବନ ମୂଲ୍ୟହୀନ ହୋଇପଡ଼େ । ଯେତେ ସୁନ୍ଦର ସୁନ୍ଦର ଖାଦ୍ୟ, ବସ୍ତ୍ର ଓ ବିଳାସପୂର୍ଣ୍ଣ ଅଟ୍ଟାଳିକା ସଦୃଶ ଘର ଥିଲେ ମଧ୍ୟ ଜୀବନରେ କିଛି ବି ନଥିଲା ପରି ଲାଗେ । ସେଇ ଆବଶ୍ୟକତାଟି ହେଲା ‘ଟିକେ ହସ’ । କିନ୍ତୁ ପ୍ରକୃତ ଖୁସି ତଥା ଆନନ୍ଦ ତାକୁ ସେତେବେଳେ ମିଳିଥାଏ ଯେତେବେଳେ ସେ ଆଉ କାହା ମୁହଁରେ ଟିକେ ହସ ଫୁଟାଇପାରେ । ଏ ପ୍ରକାର ଚିନ୍ତାଧାରାକୁ ନେଇ ‘ପାନାସିଆ ଚାରିଟେବୁଲ ଟ୍ରଷ୍ଟ’ ତରଫରୁ ଏକ ଛୋଟିଆ ପ୍ରୟାସ କରାଯାଇଛି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ମୁହଁରେ ଟିକେ ହସ ଭରିଦେବା ପାଇଁ ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ ଦୁଇଦିନ ଧରି ଏକ ସୁନ୍ଦର କାର୍ଯ୍ୟକ୍ରମ ଯାହାର ର୍ଶୀକ ରହିଛି ‘ଟିକେ ହସ’ । ସାରା ଓଡ଼ିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଗ୍ରଣୀ ଅନୁଷ୍ଠାନ ପାନାସିଆ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ ଡ଼ିସେମ୍ବର ୨୧ ତାରିଖ ସକାଳେ ଏକ ଦିବ୍ୟାଙ୍ଗ ସାଂସ୍କୃତିକ ମହୋତ୍ସବ ଆରମ୍ଭ ହୋଇଛି ‘ଟିକେ ହସ’ । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହସ୍ତାକ୍ଷର, ଚିତ୍ରାଙ୍କନ, ଓଡ଼ିଆ କବିତା ଆବୃତ୍ତି, ବକ୍ତୃତା, କୌତୁକ ପୋଷାକ, କଣ୍ଠ ସଙ୍ଗୀତ ଆଦି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଯଜ୍ଞାଶିଷ ମହାପାତ୍ର, ପାନାସିଆର ଅଧ୍ୟକ୍ଷ ଡା ବିଶ୍ୱରଞ୍ଜନ ପ୍ରଧାନ, ସମ୍ପାଦକ ଡା ସସ୍ମିତା ରାଉତ, ସମାଜସେବିକା ଅନିତାରାଣୀ ମହାନ୍ତି ପ୍ରମୁଖ ଉଦ୍ଘାଟନ କରିଥିଲେ ଏବଂ ପାନାସିଆର ଲୀନା ମିଶ୍ର, ନୀଳୟ ପଟ୍ଟନାୟକ, ନିବେଦିତା ଭଞ୍ଜ, ପ୍ରଜ୍ଞା ମହାନ୍ତି, କେଦାର ରାଉତ, ଲିଙ୍ଗରାଜ ମହାନ୍ତି ପ୍ରମୁଖ ସଦସ୍ୟ ସଦସ୍ୟାମାନେ ପରିଚାଳନା କରିଥିଲେ । ଚମକ ଚାନ୍ଦିନୀ ଦାଶ ଓ ସୌମ୍ୟ ପ୍ରିୟଦର୍ଶୀ ପ୍ରଧାନ ସଂଯୋଜନା କରିଥିଲେ । ଆସନ୍ତାକାଲି ୨୨ ତାରିଖ ସକଳା ୧୦ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ଦିଆଯିବା ସହିତ ସେମାନଙ୍କର ମନୋରଞ୍ଜନ ପାଇଁ ଅପରାହ୍ନ ୪ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଏକ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଯାହାର ନାମ ରଖାଯାଇଛି ‘ସ୍ୱର ସାଧନା’ । ୨୨ ତାରିଖ ସନ୍ଧ୍ୟାରେ ଏହି ସମସ୍ତ କାର୍ଯ୍ୟକ୍ରମର ଉଦ୍ଯାପନ ଉତ୍ସବ ପାଳନ ହେବ । ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବା ସହିତ କିଛି ବିଶେଷ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଓ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଯୋଗ ଦେବାକୁ ପାନାସିନିଆର ଅଧ୍ୟକ୍ଷ ଡଃ ବିଶ୍ୱରଞ୍ଜନ ପ୍ରଧାନ ଆହ୍ୱାନ କରିଛନ୍ତି ।