ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନସ୍ୱାର୍ଥ ପ୍ରସଙ୍ଗର ସମୀକ୍ଷା କଲେ ବିଧାନସଭାର ଗୃହ କମିଟି

ଛତ୍ରପୁର, (ଓ୍ବାଇଏନଏସ): ଓଡ଼ିଶା ବିଧାନସଭାର ଗୃହ କମିଟି (ସବମିଶନ) ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସ୍ଥିତି, କାର୍ଯ୍ୟ ଅଗ୍ରଗତି ଏବଂ ଜନସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରିଛନ୍ତି। କମିଟିର ସଦସ୍ୟ ଆସିକା ବିଧାୟକ ସରୋଜ ପାଢ଼ୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତି, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଭଞ୍ଜନଗର ଉପଜିଲ୍ଲାପାଳ ଡ. ଉମାଶଙ୍କର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ସମେତ ଜିଲ୍ଲା ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଏହି ଗସ୍ତରେ ସାମିଲ ହୋଇଥିଲେ। କମିଟି ପ୍ରଥମେ ଆସିକା ଲକ୍ଷ୍ମୀ ବଜାର ନିକଟସ୍ଥ ଟିପିସର ନାଳ ପରିଦର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍‌ଡ୍ୟାମ୍‌, ଋଷିକୁଲ୍ୟା ଓ ବଡ଼ନଦୀ ଉପରେ ନିର୍ମାଣାଧୀନ ହାଇ ଲେଭେଲ୍‌ ବ୍ରିଜ୍‌, ଆସିକା ବାଇପାସ୍‌ ରାସ୍ତା ଏବଂ କଇଁଫୁଲିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ଆସିକା ପୌର ପରିଷଦ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ, ଜନସାଧାରଣଙ୍କ ସମସ୍ୟା ଏବଂ ବିଧାନସଭାରେ ଉତ୍ଥାପିତ ସବମିଶନଗୁଡ଼ିକର କାର୍ଯ୍ୟାନ୍ୱୟନ ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ପାନୀୟ ଜଳ ସମସ୍ୟାର ସମାଧାନ, ଆସିକା ସହରର ଜଳ ନିଷ୍କାସନ ବ୍ୟବସ୍ଥା, କବିସୂର୍ଯ୍ୟନଗର ଅଞ୍ଚଳର ଚାଷଜମିକୁ ସାଲିଆ ଡ୍ୟାମ୍‌ ମାଧ୍ୟମରେ ଜଳସେଚନ ସୁବିଧା, ଛତ୍ରପୁର ମୁଖ୍ୟ କେନାଲର ନବୀକରଣ, ଖଲ୍ଲିକୋଟ ଅଞ୍ଚଳର ସାମଲ ଭିଲେଜ୍‌ରେ ସୁରକ୍ଷା ପ୍ରାଚୀର ନିର୍ମାଣ ଏବଂ ପାତ୍ରପୁର ବ୍ଲକ୍‌ର ଗୌଡୁଣୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଆଦି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। ସେହିପରି ପାତ୍ରପୁର ତହସିଲ କର୍ମଚାରୀଙ୍କ ପାଇଁ ସରକାରୀ କ୍ୱାର୍ଟର ନିର୍ମାଣ, ପାତ୍ରପୁରରେ ପୋଲିସ ଆଉଟ୍‌ପୋଷ୍ଟ ପ୍ରତିଷ୍ଠା, ଲାଠି ପଞ୍ଚାୟତ ଅଞ୍ଚଳରେ ଡାଏରିଆ ଓ ଡେଙ୍ଗୁ ପ୍ରତିରୋଧମୂଳକ ପଦକ୍ଷେପ, ଦିଗପହଣ୍ଡି ପିଏଚ୍‌ସିକୁ ସିଏଚ୍‌ସିରେ ଉନ୍ନୀତ କରିବା, କବିସୂର୍ଯ୍ୟନଗର ଅଞ୍ଚଳରେ ବସୁଧା ଯୋଜନା ମାଧ୍ୟମରେ ପାନୀୟ ଜଳ ଯୋଗାଣ, ବେଗୁନିଆପଡ଼ା ପିଏଚ୍‌ସିକୁ ସିଏଚ୍‌ସିରେ ପରିଣତ କରିବା ଏବଂ ଚାଷୀଙ୍କ ସୁବିଧା ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ଭଳି ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିସହ ବୋମ୍‌କେଇ ପାଟ୍ଟ ଶାଢ଼ି ବୁଣାକାରଙ୍କୁ ପ୍ରଶିକ୍ଷଣ, କବିସୂର୍ଯ୍ୟନଗରରେ ଟ୍ରେଜେରୀ କାର୍ଯ୍ୟାଳୟ ପ୍ରତିଷ୍ଠା ଏବଂ ଆସିକା ସ୍ପିନିଂ ମିଲ୍‌ର କାର୍ଯ୍ୟକ୍ଷମତା ସମେତ ଅନ୍ୟାନ୍ୟ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ନେଇ କମିଟି ସଦସ୍ୟମାନେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର ବିକାଶ, ଭିତ୍ତିଭୂମି, ଜଳସେଚନ, ପାନୀୟ ଜଳ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଯୋଗାଯୋଗ ଭଳି ଜନସ୍ୱାର୍ଥ ସମ୍ପର୍କିତ ବିଷୟଗୁଡ଼ିକୁ କମିଟି ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରି ଏହାର ସୁଫଳ ଶୀଘ୍ର ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ କମିଟି ପରାମର୍ଶ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ