ପୂର୍ବ ଶତ୍ରୁତାକୁ ନେଇ ଶଳାକୁ ଗୁଳି କରି ହତ୍ୟା ଘଟଣାରେ ଭିଣୋଇ ଗିରଫ ଓ କୋର୍ଟ ଚାଲାଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ ଶଳା କୈଳାସ ନାୟକକୁ ଗୁଳି କରି ହତ୍ୟା ଘଟଣାରେ ଅଭିଯୁକ୍ତ ଭିଣୋଇ ଉଦୟ ନାୟକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛନ୍ତି ଆର.ଉଦୟଗିରି ଏସଡିପିଓ ଅଶ୍ବିନୀ ନାଯକ | ଗତକାଲି ଏସଡିପିଓ ଅଶ୍ୱିନୀ ନାୟକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ଗତ ୨୦୧୯ରେ ମୃତ କୈଳାସଙ୍କ ନାବାଳିକା ଝିଅକୁ ଉଦୟଙ୍କ ଭାଇ ଦୁଃଶାସନ ନାୟକ ଅପହରଣ କରି ନେଇଥିଲା I ଏହାପରେ ସେତେବେଳେ ରାଗରେ କୈଳାସଙ୍କ ପୁଅ ଟିକେଶ୍ଵର ଉଭୟ ଦୁଃଶାସନ ଓ ତାଙ୍କ ନାବାଳିକା ଭଉଣୀକୁ ହାତଗୋଡ଼ ବାନ୍ଧି ଗାଳି ଗୁଲଜ କରିଥିଲେ । ସେହି ସମୟରେ ଉଦୟ ଆସି ଦୁଃଶାସନ ଓ ନାବାଳିକା ଝିଅକୁ ବନ୍ଧା ଯାଇଥିବା ରଶି ଖୋଲି ଦେଇଥିଲେ । ଏହା ପରଠାରୁ କୈଳାସ, ଟିକେଶ୍ଵରଙ୍କ ସହ ଉଦୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା | ଅନେକ ସମୟରେ ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗି ରହିଥ୍ଲା I କୈଳାସକୁ ହତ୍ୟା କରିବାକୁ ସୁଯୋଗ ଖୋଜୁଥିଲା ଉଦୟ | ଶନିବାର ଅପରାହ୍ନରେ କୈଳାଶ କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ଏହି ସୁଯୋଗରେ ଉଦୟ ନିଜ ଦେଶୀ ବନ୍ଧୁକ ନେଇ କୈଳାଶ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ | ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ କୈଳାଶ | ବହୁ ସମୟ ଧରି କୈଳାସ ଘରକୁ ନଆସିବାରୁ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ. ଅଭିଯୁକ୍ତ ଉଦୟକୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ତେବେ ଉଭୟଙ୍କ ଘରେ ଖାନତଲାସ ପରେ ମୃତ କୈଳାସଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ ଓ ଅଭିଯୁକ୍ତ ଉଦୟ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି. ଅଭିଯୁକ୍ତକୁ କୋୖର୍ଟ ଚାଲାଣ କରାଯାଇଥିବା ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି..