ଆଶ୍ରମ ବିଦ୍ୟାଳୟରେ ଅବ୍ୟବସ୍ଥା ନେଇ ୩୦ ଛାତ୍ରୀ ଆଶ୍ରମ ଛାଡି ଜିଲ୍ଲାପାଳଙ୍କୁ ଭେଟିଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକ ବାଘମାରି ଆଶ୍ରମ ବିଦ୍ୟାଳୟରେ ଅବ୍ୟବସ୍ଥା ନେଇ ଅଭିଯୋଗ କରିବାକୁ ହଷ୍ଟେଲ ଛାଡି ୩୦ ଜଣ ଛାତ୍ରୀ 100 କିମି ଦୂରରେ ଥିବା ପାରଳାଖେମୁଣ୍ଡି ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଜଣା ଯାଇଛି. ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଛାତ୍ରୀମାନଙ୍କ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନୀଳମ୍ବିତ କରିଥିବା ଜଣା ଯାଇଛି. ଏହି ଆଶ୍ରମ ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ, ପାନୀୟ ଜଳ ସମସ୍ୟା, ଉପଯୁକ୍ତ ଶୈକ୍ଷିକ ବାତାବରଣ ସହ ଅନୁସଙ୍ଗିକ ସୁବିଧା ମିଳୁ ନ ଥିବା ଯୋଗୁଁ ଏଠାକାର ୩୦ ଜଣ ଛାତ୍ରୀ ହଷ୍ଟେଲ ଛାଡି ଜିଲ୍ଲାପାଳଙ୍କ ପହଞ୍ଚି ଅଭିଯୋଗ କରିଥିଲେ. ଜିଲ୍ଲାପାଳ ସେମାନଙ୍କ ଅଭିଯୋଗ ଶୁଣିଥିଲେ। ପରେ ସେମାନଙ୍କୁ ବୁଝାସୁଝା କରି ପୁଣି ହଷ୍ଟେଲକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ଜିଲ୍ଲାପାଳ. ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ପରିଡା ସୋମବାର ଅପରାହ୍ନରେ ହଷ୍ଟେଲରେ ପହଞ୍ଚି ଛାତ୍ରୀଙ୍କ ଅଭିଯୋଗ ଶୁଣିବା ଓ ତଦନ୍ତ କରିବା ସହ ଛାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି. ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ମୋହନା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ମୁହଁ ଖୋଲୁନାହାନ୍ତି । ଅନ୍ୟ ପକ୍ଷରେ ଛାତ୍ରୀମାନେ ସେମାନଙ୍କ କିଛି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳ ବିହିତ ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି.