ବିଧାନସଭାରେ ବିଧାୟକ ମାନସ ଦତ୍ତ ଉଠାଇଲେ ବିର୍ଲା ଟାୟାର ପ୍ରସଙ୍ଗ

ବାଲେଶ୍ଵର, (ସରୋଜ ପଣ୍ଡା):ଦିନ ବିର୍ଲା ଟାୟାର୍ସ ଥିଲା ଲୋକଙ୍କ ଜୀବନରେଖା । ବାଲେଶ୍ଵର ଜିଲ୍ଲା ତଥା ଆଖପାଖ ଅଂଚଳର ୩୫ଶହ ଶ୍ରମିକଙ୍କ ପରିବାର ପ୍ରତିପୋଷଣର ଏକମାତ୍ର ସାଧନ ଥିଲା ଏହି କାରଖାନା। ତତ୍କାଳୀନ ରାଜ୍ୟ ସରକାରଙ୍କ ଭୁଲ ଶିଳ୍ପନୀତି ଯୋଗୁଁ ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ଋଗଣ ହୋଇପଡ଼ିବା ସହ ତାଲାବନ୍ଦ ପରିସ୍ଥିତି ଉପୁଜିଥିଲା । ଫଳରେ ହଜାର ହଜାର ଶ୍ରମିକ କର୍ମ ନିଯୁକ୍ତି ହରାଇଲେ। ଶେଷରେ ବିର୍ଲା ଟାୟାର୍ସର ମାଲିକମାନେ ଚଞ୍ଚକଟା ପୂର୍ବକ କାର୍ଯ୍ୟରତ ଶ୍ରମିକମାନଙ୍କ ବକେୟା ଦରମା ଓ ଆଇନଗତ ପ୍ରାପ୍ୟ ନଦେଇ କମ୍ପାନୀକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ । ଏହା ବିରୋଧରେ ଶ୍ରମିକମାନେ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)ର ଦ୍ବାରସ୍ଥ ହେବା ସହ ଦୀର୍ଘ ଦିନର ଆଇନଗତ ଲଢେଇ ପରେ କାରଖାନା ଖୋଲିବା ବାଟ ଫିଟିଲା । କେନ୍ଦ୍ର ସରକାରଙ୍କ କମ୍ପାନୀ ପୁନଃର୍ବିନ୍ୟାସ ଆଇନ ବଳରେ ଡାଲମିଆ ଭାରତ ରିଫାରେକ୍ଟୋରିଜ୍ ଲିମିଟେଡ ଓ ହିମାଦ୍ରି ସ୍ପେଶିଆଲିଟି କେମିକାଲସ ଲିମିଟେଡ ଯୌଥ ଭାବେ କାରଖାନା ପରିଚାଳନା ଦାୟିତ୍ଵ ପାଇଥିଲେ। ସର୍ତ୍ତ ଥିଲା ନୂତନ ପରିଚାଳନା କର୍ତ୍ତପକ୍ଷ ପ୍ରଥମେ ବିର୍ଲା ଟାୟାର୍ସରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କ ବକେୟା ଦରମା ଓ ପ୍ରାପ୍ୟ ପ୍ରଦାନ କରିବେ। ମାତ୍ର ଏ ଯାବତ୍ ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ନ ପାଇ ଅତ୍ୟନ୍ତ ଦୁଃଖ କଷ୍ଟରେ ପରିବାରବର୍ଗ ପ୍ରତିପୋଷଣ କରୁଛନ୍ତି I ଶ୍ରମିକମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ସ୍ୱରୂପ ସଦର ବିଧାୟକ ମାନସ କୁମାର ଦତ୍ତ ବିଧାନସଭା ଅଧିବେଶନର ପ୍ରଶ୍ନକାଳରେ ବିର୍ଲା ଟାୟାର୍ସର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ବିର୍ଲା ଟାୟାର୍ସରେ ପ୍ରକୃତ ପକ୍ଷେ ଶ୍ରମିକଙ୍କ ସମସ୍ୟା କଣ? କେତେ ଜଣ ଶ୍ରମିକ ସ୍ଥାୟୀ ଓ କେତେଜଣ ଠିକା ଭାବେ କାର୍ଯ୍ୟ କରୁଥିଲେ? କାରଖାନାର ପରିଚାଳନା ଦାୟିତ୍ଵ ହସ୍ତାନ୍ତର ବେଳେ ଏନସିଏଲଟର ଗାଇଡ଼ଲାଇନ ବା ନିର୍ଦ୍ଦେଶ କଣ ଥିଲା?କାରଖାନା ଚଳାଇବାକୁ ନୂତନ ପରିଚାଳନା କର୍ତ୍ତୃପକ୍ଷଙ୍କ କଣ ଯୋଜନା ରହିଛି? ସେ ସମ୍ପର୍କରେ ଶ୍ରୀ ଦତ୍ତ ପ୍ରଶ୍ନ ପଚାରିଥିଲେ I ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ବିର୍ଲା ଟାୟାର୍ସରେ ପୂର୍ବରୁ କାର୍ଯ୍ୟରତ ଶ୍ରମିକମାନେ ସେମାନଙ୍କ ବକେୟା ଦରମା ଓ ଅନ୍ୟାନ୍ୟ ପାଉଣା ନ ପାଇବା ଏବେ ମୁଖ୍ୟ ସମସ୍ୟା ପାଲଟିଛି I ୨୦୨୧ ମସିହା ମାର୍ଚ୍ଚ ୧୨ ତାରିଖରେ କମ୍ପାନୀ ବନ୍ଦ 6ହେବା ବେଳକୁ ୧୩୬୮ ନିୟମିତ, ୬୮୦ କଜୁଆଲ ଓ ୧୩୫୮ ଠିକା ଶ୍ରମିକ ଓ ୧୮୦ଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୩୫୮୬ଜଣ ଶ୍ରମିକ କାର୍ଯ୍ୟରତ ଥିଲେ । ୨୦୨୩ ମସିହା ଅକ୍ଟୋବର ୨୮ତରିକରେ ଡାଲମିଆ ଭାରତ ଓ ହିମାଦ୍ରି କେମିକାଲସ ମିଳିତ ଭାବେ କମ୍ପାନୀ ପରିଚାଳନା ପାଇଁ ଦୟିତ୍ୱ ନେଇଥିଲେ । ତେବେ ନୂତନ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ବିର୍ଲା ଟାୟାର୍ସର ନିୟମିତ ଶ୍ରମିକଙ୍କ ବାବଦରେ ତଥ୍ୟ ଥିବାବେଳେ ଅନ୍ୟ ଶ୍ରମିକଙ୍କୁ ନେଇ କୌଣସି ସୂଚନା ନାହିଁ । କାରଖାନାକୁ କାର୍ଯ୍ୟକ୍ଷମ ପାଇଁ ସମ୍ପ୍ରତ୍ତି ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି Iହଜାର ହଜାର ଶ୍ରମିକଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବାଲେଶ୍ବରବାସୀଙ୍କ ସ୍ବାର୍ଥ ଦୃଷ୍ଟିକୋଣରୁ ବିର୍ଲା ଟାୟାର୍ସ କାର୍ଯ୍ୟକ୍ଷମ ହେବାର ପ୍ରାସଙ୍ଗିକତାକୁ ଗୁରୁତ୍ବ ଦେଇ ବିଧାୟକ ଶ୍ରୀ ଦତ୍ତ ପୁଣିଥରେ ଏହି ପ୍ରସଙ୍ଗକୁ ଶୂନ୍ୟକାଳରେ ଉଠାଇଥିଲେ। ନୂତନ ଭାବେ ପରିଚାଳନା ଦାୟିତ୍ଵ ନେଇଥିବା ଦୁଇ କମ୍ପାନୀ ଶ୍ରମିକଙ୍କ ସମସ୍ୟା ସମାଧାନରେ ଏବେ ଅନ୍ତରାୟ ସୃଷ୍ଟି କରିବା ବାସ୍ତବିକ ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ରାଜ୍ୟ ସରକାର ଏକ କମିଟି ଗଠନ ମାଧ୍ୟମରେ କ୍ଷେତ୍ର ପରିଦର୍ଶନ ଓ ପୂର୍ବ ସରକାରଙ୍କ ଭୁଲ ଶିଳ୍ପନୀତିର ସମୀକ୍ଷା ସହ ବାଲେଶ୍ୱରବାସୀଙ୍କ ଜୀବନରେଖା ଭାବେ ପରିଚିତ ବିର୍ଲା ଟାୟାର୍ସକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ବିଧାୟକ ଶ୍ରୀ ଦତ୍ତ ବିଧାନସଭାରେ ଦାବି ଉପସ୍ଥାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ