ବାହକଜନିତ ଏବଂ ଜଳବାହିତ ରୋଗର ନିରାକରଣ ଏବଂ ନିୟନ୍ତ୍ରଣ ଉପରେ ଆନ୍ତଃ କ୍ଷେତ୍ରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପୂର୍ବାହ୍ନ ଘ. ୧୨.୦୦ ମି ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବାହକଜନିତ ଏବଂ ଜଳବାହିତ ରୋଗର ନିରାକରଣ ଏବଂ ନିୟନ୍ତ୍ରଣ ଉପରେ ଆନ୍ତଃ କ୍ଷେତ୍ରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସ୍ୟାଧିକାରୀ ଡ଼. ଦୁଲାଳସେନ ଜଗଦ୍ଧେବ, ଏପିଏଚଓ ଡ଼. ମୃତୁଞ୍ଜୟ ମିଶ୍ର, ଭିବିଡ଼ି ଡ଼. ରଞ୍ଜନ ନାୟକ, ବିଭିନ୍ନ ସ୍ବେଛାସେବୀ ସଂଗଠନର ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ I ଏହି ବୈଠକରେ ଜିଲ୍ଲାରେ ମ୍ୟାଲେରିଆ, ଡାଇରିଆ, ଜଣ୍ଡିସ (କାମଳ) ଓ ଡେଙ୍ଗୁ ରୋଗର ପ୍ରତିରୋଧ ଏବଂ ନିୟନ୍ତ୍ରଣ ସମ୍ବନ୍ଧରେ ପ୍ରମୁଖ ଆଲୋଚନା କରାଯାଇଥିଲା। ଜିଲ୍ଲାରେ କିପରି ଏହି ରୋଗଗୁଡିକର ନିଦାନ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ପ୍ରତ୍ୟେକ ସର୍ବେକ୍ଷଣ ତଥ୍ୟକୁ କିଭଳି ଉପଯୋଗୀତାର ସହିତ ସମ୍ପାଦନା କରାଯାଉଛି ସେ ବିଷୟରେ ଆଲୋଚନା କରାଯାଇଥିଲା I ଜିଲ୍ଲାରେ ହୋଇଥିବା ସର୍ବେକ୍ଷଣ ତଥ୍ୟକୁ ଆଧାର କରି ସମ୍ପୃକ୍ତ ସ୍ଥାନମାନଙ୍କରେ କିଭଳି ଏହି ନିଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ସେ ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲI I ମ୍ୟାଲେରିଆ, ଡାଇରିଆ, ଜଣ୍ଡିସ (କାମଳ) ଓ ଡେଙ୍ଗୁ ଭଳି ରୋଗର ସଂକ୍ରମଣ କିଭଳି ନ ହେବ ଏବଂ ଏହାର ପୂର୍ବ ଏବଂ ପର ପଦକ୍ଷେପ ପାଇଁ ଜନ ସମ୍ପର୍କ କାର୍ଯ୍ୟକ୍ରମ ସହିତ ମଶା ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ଯଥା ପାଣି ଜମୁଥିବା ସ୍ଥାନ ମାନଙ୍କରେ ସ୍ୱଚ୍ଛତା, ଅପରିଷ୍କାର ଜଳ ନିଷ୍କାସନ, କୀଟନାଶକ ଔଷଧ ସିଞ୍ଚନ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ I ଏହି ବୈଠକରେ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ନିମନ୍ତେ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।