ବିଧାନସଭା ସମ୍ମୁଖରେ ପାଚିକାଙ୍କ ବିକ୍ଷୋଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏ.ଆଇ.ୟୁ.ଟି.ୟୁ.ସି ସହବନ୍ଧିତ ଓଡ଼ିଶା ମିିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ଗୁରୁବାର ବିଧାନସଭା ସମ୍ମୁଖରେ ପାଚିକାମାନଙ୍କର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ସଂଘର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବା ପରେ ଅପରାହ୍ନରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ପାଚିକା ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ମାସିକ ସର୍ବନିମ୍ନ ମଜୁରୀ ୨୮ ହଜାର ଟଙ୍କା ପ୍ରଦାନ, ଅବସରକାଳୀନ ବୟସସୀମା ୬୫ବର୍ଷକୁ ବୃଦ୍ଧି କରିବା, ଅବସରକାଳୀନ ସହାୟତା ରାଶି ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ପେନସନ ଓ ବୀମା ବ୍ୟବସ୍ଥା କରିବା,୨୦୦୯ ମସିହା ଡିସେମ୍ବର ଠାରୁ ୨୦୧୨ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ୨୪ ମାସର ବର୍ଦ୍ଧିତ ବକେୟା ପାଇନଥିବା ପାଚିକାଙ୍କୁ ଅବିଳମ୍ବେ ପ୍ରଦାନ କରିବା, ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ରାଶି ପ୍ରଦାନ କରିବା, ୨୦୨୨ ମସିହା ମେ ଓ ଜୁନ୍ ମାସର ପାରିଶ୍ରମିକ ସହିତ ସମସ୍ତ ବକେୟା ପାରିଶ୍ରମିକ ପ୍ରଦାନ କରିବା ଆଦି ଦାବିରେ ସଂଘର ରାଜ୍ୟ ସଭାପତି ବିଷ୍ଣୁ ଦାସଙ୍କ ସଭାପତିତ୍ୱରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏହି ବିକ୍ଷୋଭ ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ଜୟସେନ ମେହେର, ଉପସଭାପତି ବ୍ରଜବନ୍ଧୁ ସାହୁ, ରାଜକିଶୋର ମଲ୍ଲିକ, ସସ୍ମିତା ସ୍ୱାଇଁ, ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନା, କୋଷାଧ୍ୟକ୍ଷ ନିରଞ୍ଜନ ମହାନ୍ତି, କାର୍ଯ୍ୟକାରୀ କମିଟି ସଭ୍ୟ ବିଜୟ ସାହୁ, ସସ୍ମିତା ନାୟକ ପ୍ରମୁଖ ବକ୍ତବ୍ୟ ରଖି ଉପରୋକ୍ତ ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ସରକାର ଅବିଳମ୍ବେ ପୂରଣ କରିବା ନିମନ୍ତେ ଦୃଢ ଦାବି କରିଥିଲେ । ଏହି ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନ ଉପ ନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।


