ପ୍ରତିଭାବାନ ସଂଗୀତ ନିର୍ଦ୍ଦେଶକ ବିଜୟ ବେହେରାଙ୍କୁ ‘କରୁଣା ସମ୍ମାନ ୨୦୨୪’
ବାଲେଶ୍ୱର, (ସରୋଜ ପଣ୍ଡା):ଗ୍ରାମାଞ୍ଚଳର ଜଣେ କରୁଣା ନାମକ ଦୃଷ୍ଟିହୀନ ସଂଗୀତ ଶିଳ୍ପୀର ସ୍ମୃତି ଓ ସମ୍ମାନାର୍ଥେ ୧୫ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବା ଶ୍ରଦ୍ଧା ଓ ଦୃଷ୍ଟିହୀନଙ୍କୁ ମାନସିକ ଆନନ୍ଦ ପ୍ରଦାନ ପାଇଁ ନୀରବ ପ୍ରୟାସ କରୁଥିବା ସମ୍ବେଦନଶୀଳତାର ମଧୁର ମୂର୍ଚ୍ଛନା ‘କରୁଣା’ର ଉତ୍ସବ ‘ସମ୍ବେଦନା’ ଆତିଥ୍ୟ ସମ୍ମିଳନୀ କକ୍ଷରେ ଏକ ଭାବମୟ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଅଛି । ‘କରୁଣା’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବକୁ ପ୍ରତିଭାବାନ ଦୃଷ୍ଟିହୀନ ସଂଗୀତ ନିର୍ଦ୍ଦେଶକ ବିଜୟ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟିତ କରିଥିଲେ । ୧୨ବର୍ଷ ପୂର୍ବେ ପ୍ରଥମ ବର୍ଷ ‘କରୁଣା’ ଉତ୍ସବରେ ପରିବେଶିତ ହୋଇଥିôବା କୃଷ୍ଣଭକ୍ତି ସଂଗୀତର ଏକ ପ୍ରଯୋଜିତ କ୍ୟାସେଟ୍କୁ ଦୃଷ୍ଟିହୀନ କଣ୍ଠଶିଳ୍ପୀ ଗୌରାଙ୍ଗ ପାତ୍ର ଉନ୍ମୋଚିତ କରିଥିଲେ । ‘କରୁଣା’ ପରିବାର ସଦସ୍ୟ ରତିକାନ୍ତ ପଣ୍ଡା ଏହି କୃଷ୍ଣ ସଂଗୀତକୁ ନିର୍ଦ୍ଦେଶନା ଦେଇଥିବାବେଳେ ମଞ୍ଚରେ ଦୃଷ୍ଟିହୀନ ଶିଳ୍ପୀ ଗୌରାଙ୍ଗ ପାତ୍ର, କୁମାର ବିଶ୍ୱଜିତ୍ ଓ ଶ୍ୱେତାଲିସା ଶୁଭଦର୍ଶିନୀ କୃଷ୍ଣ ସଂଗୀତ ପରିବେଷଣ କରିଥିଲେ ।ପ୍ରତି ‘କରୁଣା’ ଉତ୍ସବରେ ରାଜ୍ୟର ଜଣେ ଦୃଷ୍ଟିହୀନ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ କରୁଣା ସମ୍ମାନ ପ୍ରଦାନ କରାଯାଏ । ଚଳିତବର୍ଷ ସଂଗୀତ ନିର୍ଦ୍ଦେଶକ ବିଜୟ ବେହେରାଙ୍କୁ ‘କରୁଣା ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା । ସମ୍ମାନ ଗ୍ରହଣ କରି ଶ୍ରୀ ବେହେରା ଅନୁଭବର କଥା ରଖିବା ସହ ଏକ ସଂଗୀତ ପରିବେଷଣ କରିଥିଲେ ।ଶ୍ରଦ୍ଧା, ସମ୍ବେଦନଶୀଳତା ଓ କରୁଣା ଜୀବନକୁ ବିକଶିତ କରେ । ଏହି କରୁଣା ଭାବରେ ଭାବମୟ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ରୀ ଏସ୍.ଏନ୍. ଲିପ୍ସାଙ୍କୁ ‘କରୁଣା ଆଶୀଷ-୨୦୨୪’ ଅତିଥିମାନେ ପ୍ରଦାନ କରି ତା’ର ସୁନ୍ଦର ଭବିଷ୍ୟତର କାମନା କରିଥିଲେ ।ପ୍ରାରମ୍ଭରେ ଆବାହକ ବିପ୍ଳବ ଦାସ ମହାପାତ୍ର, ସଂଯୋଜକ ପାର୍ଥସାରଥୀ ସାହୁ ଓ ରାଜେଶ ଗିରି ପ୍ରଥମ କଥା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଉଦ୍ଘାଟନୀ ସମବେତ ସଂଗୀତକୁ ‘ସ୍ୱରାଗିଣୀ’ ଅନୁଷ୍ଠାନର ଶିଳ୍ପୀଗଣ ମୋନାଲିସା ମହାନ୍ତିଙ୍କ ପରିଚାଳନାରେ ଗାନ କରିଥିଲେ ।ଉତ୍ସବରେ ଅତିଥିଭାବେ କୃଷ୍ଣପ୍ରେମୀ ଗାୟତ୍ରୀ ଆଚାର୍ଯ୍ୟ, ସୁଜାତା ଦାସ ଓ ଅମରଜିତ୍ ଦାସ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ ଯେ କରୁଣାସିକ୍ତ ଭାବନା ପ୍ରତି କର୍ମକୁ ସତ୍କର୍ମ କରିଥାଏ ଓ ଭାବ, ଭକ୍ତି ମନରେ ପରମଦିବ୍ୟତା ଜନ୍ମ ଦେଇଥାଏ ।ସ୍ୱତନ୍ତ୍ର ଅତିଥିଭାବେ ଆଇନଜୀବୀ ପର୍ଶୁରାମ ପ୍ରଧାନ ଓ ସୁଲଗ୍ନା ଶିକ୍ଷା ସମୂହ ଅନୁଷ୍ଠାନର ଚେୟାରମ୍ୟାନ୍ ଘନଶ୍ୟାମ ବିଶ୍ୱାଳ ଓ ଶଶିରଞ୍ଜନ ମଲ୍ଲିକ ଯୋଗଦେଇ ଶ୍ରଦ୍ଧା ଓ ପ୍ରେମଭାବ ଦିବ୍ୟାଙ୍ଗର ମନରେ ଶକ୍ତି ସଂଚାରଣ କରେ ବୋଲି କହିଥିଲେ ।
ସଦସ୍ୟା ରଶ୍ମି ସ୍ୱାଇଁ ଓ ରୋଜାଲିନ୍ ଶତପଥୀ ପରିଚୟ ଓ ମାନପତ୍ର ପଠନ କରିଥିବାବେଳେ ପାର୍ଥସାରଥୀ ସାହୁ, ପ୍ରତିମା ତ୍ରିପାଠୀ ଓ ସରସ୍ୱତୀ ଭୋଇ ସମ୍ବର୍ଦ୍ଧନା ଉତ୍ସବକୁ ପରିଚାଳନା କରିଥିଲେ । ପ୍ରେୟସୀ ମହାପାତ୍ର, ରଞ୍ଜନା ଘୋଷ, ରଶ୍ମିତା ଆଚାର୍ଯ୍ୟ ଓ ନନ୍ଦିତା ନାୟକ କୃଷ୍ଣବନ୍ଦନାରେ ସହଯୋଗ କରିଥିଲେ ।‘ନୃତ୍ୟାୟନ’ର ପ୍ରତିଷ୍ଠାତା ଗୁରୁ ପ୍ରଦୀପ ବେହେରାଙ୍କ ପରିଚାଳନାରେ ଶିଳ୍ପୀଗଣ ଏକ ସୁନ୍ଦର କୃଷ୍ଣନୃତ୍ୟ ପରିବେଷଣ କରିଥିଲେ । ମଧୁସୂଦନ ମିଶ୍ର, ଜୀବନଜ୍ୟୋତି ସ୍ୱାଇଁ, ଶୁଭ୍ରାଂଶୁ ପଣ୍ଡା, ସଞ୍ଜୀବ ନାୟକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ ଅଜୟ ଗୁହା ଧନ୍ୟବାଦ ଅର୍ପଣ କରିଥିଲେ ।


