୬୭୫ ଜଣ ଲକ୍ଷପତି ଦିଦିଙ୍କୁ ପ୍ରଶଂସାପତ୍ର ପ୍ରଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି): ଆଜି ଦେଶରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡିଶା ଜୀବିକା ମିଶନ ପକ୍ଷରୁ ବନ୍ତ ବ୍ଲକ ମିଶନଶକ୍ତି ଗୃହରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିପିଏମ୍ ଦୁର୍ଗା ପ୍ରସାଦ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ଏସ୍.ଡି.ସି ସ୍ମିତା ପାଣିଗ୍ରାହୀ, ବିଏଲସି ସଞ୍ଜୁଲତା ନାୟକ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ନେଇ ବହୁବିଧ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମିଶନଶକ୍ତି ଜରିଆରେ ଆର୍ଥିକ ପ୍ରୋତ୍ସାହନ ସହ ବ୍ୟାଙ୍କ ଋଣ ଯୋଗାଇ ଦେଇ ମହିଳା ମାନଙ୍କୁ ସଶକ୍ତ କରାଇଛନ୍ତି । ଏବେ ମହିଳା ମାନେ ନିଜ ଗୋଡରେ ଛିଡା ହୋଇ ପାରିଛନ୍ତି । କାହା ପାଖରେ ହାତ ପାତୁ ନାହାନ୍ତି । ତେବେ ବତ୍ତର୍ମାନ ବ୍ଲକରେ ୬୭୫ ଜଣ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି । ଆଗକୁ କିପରି ଏହି ବ୍ଲକରେ ଅଧିକ ଲକ୍ଷପତି ଦିଦି ହୋଇପାରିବେ ସେନେଇ ସମସ୍ତ ମହିଳା ମାନେ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବ୍ଲକର ୬୭୫ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଲକ୍ଷପତି ଦିଦି ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଏଥିସହ ଚଳିତ ଆର୍ଥିକ ବର୍ଷରେ ବ୍ଲକର ୧୨୪ ସ୍ୱୟଂ ସହାୟକ ଗୋଷ୍ଠୀକୁ ୭କୋଟି ୯୮ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା ।


