ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ପାଇଁ ଜନଶୁଣାଣି ବନ୍ଦରକୁ ବିରୋଧ କରି ମେଳି ବାନ୍ଧିଲେ ବିସ୍ଥାପିତ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ଠାରେ ଏକ ବହୁମୁଖୀ ବନ୍ଦର ନିର୍ମାଣ ପାଇଁ ୨୦୦୮ ମସିହାରେ ତାତ୍କାଳୀନ ସରକାର ଓ ହାଇଦ୍ରାବାଦ ର ନବଯୁଗ ଇଂଜିନିୟରିଂ କମ୍ପାନୀ ମଧ୍ୟରେ ଚୁକ୍ତି ହେବାର ୧୬ବର୍ଷ ପୂରିଛି। ବନ୍ଦର ନିର୍ମାଣ ପାଇଁ ଇଞ୍ଚେ ଜମି ମଧ୍ୟ ଅଧିଗ୍ରହଣ ହୋଇପାରିନାହିଁ। ତେବେ ବନ୍ଦର ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ପାଇଁ ଶୁକ୍ରବାର ରାଜ୍ୟ ସରକାରଙ୍କ ପ୍ରଦୂଷଣ ବୋର୍ଡ ପକ୍ଷରୁ ଅସ୍ତରଙ୍ଗ ବ୍ଲକ ପଡ଼ିଆରେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।ପୁରୀ ଜିଲ୍ଲାର ଅସ୍ତରଙ୍ଗ ରେ ହାଇଦ୍ରାବାଦ ସ୍ଥିତ ନବଯୁଗ ଇଂଜିନିଯରିଂ କମ୍ପାନୀ ଦ୍ଵାରା ୩ ଟି ପର୍ଯ୍ୟାୟରେ ୭ ହଜାର ୪୧୭ କୋଟି ଟଙ୍କା ବ୍ୟୟରେ ୨୫ ବିଲିଅନ କ୍ଷମତା ସମ୍ପର୍ଣ୍ଣ ସଂପୂର୍ଣ୍ଣ ସ୍ୱୟଂଚାଳିତ ପ୍ରସ୍ତାବିତ ବନ୍ଦର ପାଇଁ ରାଜ୍ୟ ସରକାର ଓ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇଥିଲା । ଅପର ପକ୍ଷରେ ଏହି କାର୍ଯ୍ୟକ୍ରମ ବିପକ୍ଷରେ ପୀର ଜାହାନିଆ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ସମାନ୍ତରାଳ ଭାବେ ଆଉ ଏକ ଜନଶୁଣାଣି କରି ଜାହାନିଆଁ ଠାରେ ଏକ ବିଶାଳ ପ୍ରଜା ମେଳି କରି ପ୍ରସ୍ତାବିତ ବନ୍ଦରକୁ ଦୃଢ଼ ବିରୋଧ କରାଯାଇଛି । ପ୍ରଜାମେଳି ରେ ଛୁରିଆନା , ଶିଶୁଅ , ପାଟଳଦା ଆଦି ପଂଚାୟତର ବିସ୍ଥାପିତ ହେବାକୁ ଥିବା ୧୩ ଟି ରାଜସ୍ୱ ଗ୍ରାମର ପ୍ରାୟ ୫ ଶହ ରୁ ଉର୍ଦ୍ଧ୍ୱ ଲୋକ ଯୋଗ ଦେଇ ବନ୍ଦର ନିର୍ମାଣ ଓ ଜନଶୁଣାଣୀ କାର୍ଯ୍ୟକ୍ରମକୁ ଦୃଢ଼ ବିରୋଧ କରିବା ସହ ବନ୍ଦର ନିର୍ମାଣ ଦ୍ୱାରା ଉପକୂଳ ଅଂଚଳର ଜୈବ ବିବିଧତା ନଷ୍ଟ ହେବା ସହିତ ହଜାର ହଜାର ଲୋକେ ସେମାନଙ୍କର ମୌଳିକ ଜୀବିକା ହରାଇବେ , ହଜାର ହଜାର ବନ୍ୟ ଜୀବଜନ୍ତୁ ପ୍ରାଣ ହରାଇବେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମରିବୁ ପଛେ ବନ୍ଦର ପାଇଁ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଧମକ ଦେଇଛନ୍ତି ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ । କେନ୍ଦ୍ର ସରକାର ୨୦୧୩ ମସିହା ଜମିଅଧିଗ୍ରହଣ ଆଇନ ଓ ରାଜ୍ୟ ସରକାରଙ୍କ ୨୦୦୬ ମସିହା ପୁନର୍ବାସ ଓ ଥଇଥାନ ଆଇନ ଅନୁଯାୟୀ ବନ୍ଦର ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଦୂଷଣ ବୋର୍ଡ ପକ୍ଷରୁ ସ୍ଥାନୀୟ ବ୍ଲକ ପଡିଆରେ ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ପ୍ରତିଶୃତି ଦିଆଯାଇଥିଲା।ବନ୍ଦର ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ମିଳିଥିବା ବେଳେ ବିସ୍ଥାପିତ ହେବାକୁ ଥିବା ବିଭିନ୍ନ ସ୍ଥାନରେ ଆଗାମୀ ଦିନରେ ଦୁଇଟି ପର୍ଯ୍ୟାୟ ରେ ଜନଶୁଣାଣୀ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ ।ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସହ ବିପୁଳ ପୁଞ୍ଜି ନିବେଶ ପାଇଁ ସରକାର ଚୁକ୍ତି ପରେ ଚୁକ୍ତି ସ୍ଵାକ୍ଷର କରି ଚାଲିଥିବାବେଳେ ଉପକୂଳ ଓଡିଶାରେ ପୋସ୍କ , ବେଦାନ୍ତ ଭଳି ନବଯୁଗ ଇଂଜିନିୟରିଂ ଦ୍ଵାରା ପ୍ରସ୍ତାବିତ ବନ୍ଦର ପ୍ରକଳ୍ପ ସ୍ଵପ୍ନରେ ରହିଯିବନି ତ ଏହା ହିଁ ଏବେ ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି।