ଚଳଚ୍ଚିତ୍ର ସହ-ନିର୍ଦ୍ଦେଶକ ଓ ନାଟ୍ୟ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ନାୟକଙ୍କ ପରଲୋକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବଡ଼ଗଡ଼ ଗ୍ରାମର ସୁଦକ୍ଷ ନାଟ୍ୟ ନିର୍ଦ୍ଦେଶକ, ଚଳଚ୍ଚିତ୍ର ସହ-ନିର୍ଦ୍ଦେଶକ ସଂଗଠକ, ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ସଂଗ୍ରାମ କେଶରୀ ନାୟକଙ୍କ ୭୦ ବର୍ଷ ବୟସରେ ବୁଧବାର ସକାଳ ୫ଘଟିକା ସମୟରେ ହୃଦ୍ଘାତରେ ପରଲୋକ ହୋଇଛି ।ସେ ଓଡ଼ିଆ ଚଳଚ୍ଚିତ୍ର ବତାସୀ ଝଡ଼, ପର ଝିଅଘର ଭାଙ୍ଗେନା ଓ ଜୟ ମା’ ମଙ୍ଗଳାରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ସେ ଜଣେ ଭଲ ଅଭିନେତା ସହ ନିର୍ଦ୍ଦେଶନା କ୍ଷେତ୍ରରେ ତଙ୍କର ଦକ୍ଷତା ଥିଲା । ଏତଦ୍ବ୍ୟତୀତ ବଡ଼ଗଡ଼ ହାଇସ୍କୁଲ୍ କମିଟି, ଜଗନ୍ନାଥ ଆଶ୍ରମ ପରିଚାଳନା କମିଟି, ନେତାଜୀ ଯୁବକ ସଂଘ, ମେଘେଶ୍ୱର କଲୋନୀ କମିଟି ଓ ବିଜେଏମ୍ଇ ସ୍କୁଲ୍ର ମଧ୍ୟ ସଦସ୍ୟ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶୁଭେଚ୍ଛୁ ତାଙ୍କ ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ବଡ଼ଗଡ଼ ହାଇସ୍କୁଲ, ବିଜେଏମ୍ଇ ସ୍କୁଲ୍ ଓ ଜଗନ୍ନାଥ ଆଶ୍ରମ ପରିକ୍ରମା କରାଯାଇଥିଲା । ବହୁ ଶୁଭେଚ୍ଛୁ ତାଙ୍କ ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଦୁଇପୁଅ ବାଙ୍ଗାଲୋରରୁ ଆସିବା ପରେ ଅପରାହ୍ନରେ ବଡ଼ଗଡ଼ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥଲା । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମିନାକ୍ଷୀ ନାୟକ, ବନ୍ଧୁ ଓ ଆତ୍ମୀୟସ୍ୱଜ୍ଜନ ଉପସ୍ଥିତ ଥିଲେ । ଶ୍ରୀ ନାୟକ ଜଣେ ମେଳାପୀ, ନିଷ୍ଠପର, ପରୋପକାରୀ ଓ କର୍ମଚଞ୍ଚଳ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ବଡ଼ଗଡ଼ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।


