ଲଘୁଚାପ ବର୍ଷାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ବେହାଲ

ବନ୍ତ, (ଚାନ୍ଦିନୀ ମହାନ୍ତି):ଗତ ୩ ଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ମୁଖ୍ୟ ରାସ୍ତା ଓ ମହାବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ଜମି ରହିଛି । ଫଳରେ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରକାଶ ଯେ, ୧୯୪୮ ମସିହାରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠାଲାଭ କରିଥିଲା । ସେତେବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଇଣ୍ଟରମିଡିଏଟ୍ ଆର୍ଟ୍ସ ବିଭାଗ ଖୋଲିଥିଲା । ୧୯୫୪-୫୫ ମସିହାରେ ଇଣ୍ଟରମିଡିଏଟ ସାଇନ୍ସ ଖୋଲିଥିଲା । ପରେ ବିଭିନ୍ନ ଶ୍ରେଣୀ ଓ ବିଭାଗ ଗୁଡିକ ଖୋଲିଥିଲା । ୧୯୯୯ ମସିହାରେ ଏହି ମହାବିଦ୍ୟାଳୟ ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ଅଧିନକୁ ଆସିଥିଲା । ପରେ ଏହା ସ୍ୱୟଂଶାସିତ ମାନ୍ୟତା ପାଇଲା । ଏବେ ଏହି ମହାବିଦ୍ୟାଳୟରେ ଯୁକ୍ତ ଦୁଇ, ସ୍ନାତକ ଓ ସ୍ନାତକୋତ୍ତର ଆଦି ଶ୍ରେଣୀର ବିଭିନ୍ନ ବିଭାଗରେ ଶହ ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ମାନେ ଏଠାରେ ପାଠ ପଢୁଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ଏହି ମହାବିଦ୍ୟାଳୟର ବହୁ ସୁନାମ ରହିଛି । ତେବେ ଏହି ମହାବିଦ୍ୟାଳୟକୁ ଜାଣିଶୁଣି ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ଲଘୁଚାପ ବର୍ଷାରେ ମହାବିଦ୍ୟାଳୟର ମୁଖ୍ୟ ଫାଟକ ଏବଂ ୨ୟ ଫାଟକ ନିକଟରେ ବର୍ଷାଜଳ ଲହଡି ମାରୁଛି । ଦୈନନ୍ଦିନ ଶହାସ୍ରାଧିକ ଛାତ୍ରଛାତ୍ରୀ ଏହି ମହାବିଦ୍ୟାଳୟକୁ ପାଠ ପଢିବାକୁ ଆସୁଥିବା ବେଳେ ଆଣ୍ଠୁଏ ପାଣିରେ ପସି ଯାଆସ କରୁଛନ୍ତି । ଫଳରେ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ମହାବିଦ୍ୟାଳୟ ରାସ୍ତା ଓ ପରିସରରୁ ବର୍ଷାଜଳ ନିଷ୍କାସନ ପାଇଁ ସେମିତି କିଛି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ସାମାନ୍ୟ ବର୍ଷାରେ ମହାବିଦ୍ୟାଳୟ ରାସ୍ତା ଓ ପରିସରରେ ପାଣି ଜମି ରହୁଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ