ଚୋରା ମୋବାଇଲ୍ ପାର୍ଟସ୍ର ବଡ଼ କାରବାର ଠାବ
ଧାମନଗର (ଓ୍ବାଇଏନଏସ): ଧାମନଗରରେ ଚୋରା ମୋବାଇଲ୍ ପାର୍ଟସ୍ର ବଡ଼ କାରବାର ଠାବ କରିଛି ପୋଲିସ ପୁଲିସ। ଏନ ଏ ସି ଅଧିନ ଜୟନଗର ଗ୍ରାମରେ ଚଢ଼ାଉ କରି ୫୦୦ ମୋବାଇଲ୍ କଭର, ୨ ହଜାର ବ୍ୟାଟେରୀ,୫୦୦ ଡିସପ୍ଲେ କମ୍ବୋ, ୫୦୦ କ୍ୟାମେରା ଓ ୬୦୦ ମଦରବୋର୍ଡ ସମେତ ପ୍ରାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିଛି। ଘଟଣାରେ ପଶ୍ଚିମବଙ୍ଗର ୨ ଜଣଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ଏସ୍ଆଇ ନାରାୟଣ ନାୟକଙ୍କ ନେତୃତ୍ୱରେ ପୁଲିସ ଜୟନଗରସ୍ଥିତ ସାହା ସଦାମଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ସାହା ସଦାମ (୩୫), ପୂର୍ବ ମେଦିନୀପୁରର ଉନୁସ୍ ସାହା (୩୮) ଓ ରହିମ୍ ସାହା (୩୨)ଙ୍କୁ ଗିରଫ କରାଯାଇଥିଲା। ଜବତ ମୋବାଇଲ୍ ପାର୍ଟସ୍ର କୌଣସି ବୈଧ କାଗଜପତ୍ର ଅଭିଯୁକ୍ତମାନେ ଦେଖାଇ ପାରିନଥିବା ପୋଲିସ କହିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି ସାମଗ୍ରୀ ଚୋରି କରି ସଂଗ୍ରହ କରାଯାଇଥିବା ନେଇ ସେମାନେ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛି। ଏସ୍ଆଇ ନାରାୟଣ ନାୟକଙ୍କ ଅଭିଯୋଗ କ୍ରମେ ଧାମନଗର ଥାନା କେସ୍ ନଂ-୪୩୭/୨୦୨୬ରେ ବିଏନ୍ଏସ୍ର ଧାରା ୩୦୩(୨), ୩୧୭(୨) ଓ ୩(୫)ରେ ମାମଲା ରୁଜୁ ହୋଇଛି। ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶରେ ଏସ୍ଆଇ ପ୍ରିୟସ୍ନେହୀ ଶୂନ୍ୟପଦ ଦାସ ତଦନ୍ତ ଭାର ଗ୍ରହଣ କରିଛନ୍ତି।


