କାତି ଚୋଟ ରେ ବାପା ଗୁରୁତର,ପୁଅ ଆହାତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ ରେ ଧାର ଟଙ୍କା ଦେଣ ନେଣ କୁ କେନ୍ଦ୍ରକରି ବ୍ୟବସାୟୀ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ବାପା ଟୁନା ପାଣିଗ୍ରାହୀ ଙ୍କୁ କାତି ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।ଗ୍ରାମର ନିଳା ଓରଫ ନିଳାଞ୍ଚଳ ମହାରଣା ଉଭୟ ବାପା ପୁଅ ଙ୍କୁ କାତି ରେ ଆକ୍ରମଣ କରିଛନ୍ତି। ବ୍ୟବସାୟୀ ପ୍ରଦୀପ ଏନେଇ ଗୁରୁବାର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଅଭିଯୁକ୍ତ ନିଳା ପ୍ରଦୀପ ଙ୍କ ଦୋକାନରୁ କିଛିଦିନ ପୂର୍ବେ ଧାର ରେ କିଛି ସାମଗ୍ରୀ ନେଇଥିଲେ। ପ୍ରଦୀପ ଧାର ଟଙ୍କା ପରିଶୋଧ କରିବାକୁ ବାରମ୍ବାର ମାଗିଲେ ମଧ୍ୟ ସେ ଦେଇନଥିଲେ। ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୫ ଟାରେ ପ୍ରଦୀପ ତାଙ୍କ ଦୋକାନରେ ବସିଥିବା ବେଳେ ଅଭିଯୁକ୍ତ ନିଳା ଦୋକାନ କୁ ଆସିବାରୁ ପ୍ରଦୀପ ତାଙ୍କୁ ପୂର୍ବରୁ ବାକି ଥିବା ଟଙ୍କା ମାଗିଥିଲେ। ଏଥିରେ ସେ ଉତ୍ତେଜିତ ହୋଇ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ।ପ୍ରତିବାଦ କରିବାରୁ ସେ ଲୁଚାଇ ଧରିଥିବା ଏକ କାତି ରେ ତାଙ୍କ ମୁଣ୍ଡ କୁ ଲକ୍ଷ୍ୟକରି ଚୋଟ ପକାଇବାରୁ ସେ ଘୁଞ୍ଚି ଯାଇଥିଲେ।କାତି ର ଉପର ଭାଗ ତାଙ୍କ ବାମପଟ କାନ୍ଧ କୁ ବାଜିବାରୁ କାନ୍ଧ ଫୁଲିଯିବା ସହ ରାଞ୍ଚୁଡ଼ି ହୋଇଯାଇଥିଲା। ସେ ପ୍ରାଣ ଭୟରେ ଘରକୁ ଦୌଡ଼ି ଯାଇ ବାପା ଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ବାପା ଘଟଣାସ୍ଥଳରେ ପହଞ୍ଚି ନିଳା ଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ତାଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ କାତି ରେ ଆକ୍ରମଣ କରିଥିଲେ।କାତି ଚୋଟ ରେ ତାଙ୍କ ମୁଣ୍ଡ ଓ ଡାହାଣ ହାତ ପାପୁଲି କୁ ଗଭୀର ଆଘାତ ଲାଗିଥିଲା। ଆହାତ ବାପ ପୁଅ ଦୁହେଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ରାତିରେ ଅଭିଯୁକ୍ତ ନିଳା ପ୍ରଦୀପ ଙ୍କ ଘର କୁ ଯାଇ ପରିବାର ଲୋକଙ୍କୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି ।