ପଞ୍ଚାୟତର ମୌଳିକ ସମସ୍ୟା ସମାଧାନ ପାଇଁ ଦାବୀ କଲେ ସରପଞ୍ଚ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତର ବିଭିନ୍ନ ମୌଳିକ ସମସ୍ୟା ରହିଥିବା ବେଳେ ଏହାର ସମାଧାନ ପାଇଁ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା ସାଂସଦ, ବିଧାୟକ ଓ ବିଡିଓଙ୍କୁ ଲିଖିତ ଭାବେ ଜଣାଯାଇଛି । ପ୍ରକାଶ ଯେ, ବ୍ଲକ କାର୍ଯ୍ୟାଳୟ ଠାରୁ ୧କିମି ଦୂରରେ ଟିଲୋ ପଞ୍ଚାୟତ ଅବସ୍ଥିତ । ଏହା ହେଉଛି ପୁରାତନ ଓ ସର୍ବାଧିକ ଜନବହୁଳ ପଞ୍ଚାୟତ । ଏହି ପଞ୍ଚାୟତରେ ବିଭିନ୍ନ ମୌଳିକ ସମସ୍ୟା ରହିଛି । ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥର ତ୍ରିକୋଣା ଛକ ଠାରୁ ମାଳିସାହି ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ବର୍ଷା ଦିନେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହେଉଛି । ଏସଂପର୍କରେ ଟିଲୋ ଅଞ୍ଚର ବହୁ ବୁଦ୍ଧିଜୀବି ଓ ଚାଷୀ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣୀରେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ମାତ୍ର ପ୍ରଶାସନିକ ସ୍ତରରେ ଏହି ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇପାରୁନାହିଁ । ଟିଲୋ ବଜାର ଅଞ୍ଚଳରେ ଆଲୋକିକରଣ ବ୍ୟବସ୍ଥା କରାଯାଇନାହିଁ । ଜିଲାର ପ୍ରସିଦ୍ଧ କ୍ରୀଡାନୁଷ୍ଠାନ ଟିଲୋ ଆଥଲେଟିକ ଆସୋସିଏସନ ଦ୍ୱାରା ପ୍ରତିବର୍ଷ ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଆର୍ନ୍ତଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଆସୁଛି । ଦେଶ ଓ ବିଦେଶରୁ ବହୁ ସୁନାମଧନ୍ୟ କ୍ରିକେଟ ଟିମ୍ ଏଠାରେ ଖେଳୁଛନ୍ତି । ଏପରିସ୍ଥଳେ ଏହି ଷ୍ଟାଡିୟମକୁ ମିନି ଷ୍ଟାଡିୟମରେ ପରିଣତ କରାଇବାରେ ଅବହେଳା ପ୍ରଦର୍ଶନ କରାଯାଉଛି । ତେବେ ଏହି ଅନୁଷ୍ଠାନକୁ କିପରି ଜିଲାର ଶ୍ରେଷ୍ଠ କ୍ରୀଡା ଅନୁଷ୍ଠାନରେ ପରିଣତ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସେ ଦାବୀ କରିଛନ୍ତି । ଟିଲୋର ବହୁ ପୁରାତନ ତଥା ବଉଳସାହିସ୍ଥିିତ ସିଦ୍ଧେଶ୍ୱର ମହାଦେବ ମନ୍ଦିରର ଉନ୍ନତିକରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସରକାରୀ ଅନୁଦାନ ଯୋଗାଇ ଦିଆଯାଇନାହିଁ । ଏହାର ରକ୍ଷାଣାବେକ୍ଷଣ ଓ ଉନ୍ନତିକରଣ ପାଇଁ ପଦକ୍ଷେପ ନେବାକୁ ସେ ଦାବୀ କରିଛନ୍ତି । ଏହି ପଞ୍ଚାୟତରେ ବହୁ ବୃଦ୍ଧ, ବୃଦ୍ଧା ଥିବା ବେଳେ ସେମାନେ ଭତ୍ତା ପାଇବାରୁ ବଞ୍ôଚତ ଅଛନ୍ତି । ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବୀ କରିଛନ୍ତି । ପ୍ରତି ପଞ୍ଚାୟତରେ ମୋ ବ୍ୟାଙ୍କ ସେବା ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ ଏହି ପଞ୍ଚାୟତକୁ ସେଥିରୁ ବଂଚିତ କରାଯାଇଛି । ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ କରିବାକୁ ସେ ଦାବୀ କରିଛନ୍ତି ।