ହିଞ୍ଜିଳିକାଟୁର ଅଧିକାଂଶ ସ୍କୁଲରେ ଖେଳପଡ଼ିଆର ଅଭାବ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍‌/ ଶେଷଦେବ ସାହୁ): ଛାତ୍ରଛାତ୍ରୀଙ୍କ ପାଠପଢା ସହ ଖେଳକୁଦ ମଧ୍ୟ ଜରୁରୀ । ସୁସ୍ଥ ମନ ଓ ସୁସ୍ଥ ଶରୀର ଗଠନରେ ଖେଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଖେଳକୁଦକୁ ପ୍ରାଥମିକତା ଦେଇ ଆସୁଛନ୍ତି । ତେବେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଂଜିଳିକାଟୁ ଅଂଚଳରେ ତୃଣମୂଳସ୍ତରରେ ଚିତ୍ର କିନ୍ତୁ ଭିନ୍ନ । ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଖେଳିବା ପାଇଁ ଖେଳ ପଡ଼ିଆ ନାହିଁ । ଏପରିକି କେତେକ ଶିକ୍ଷାନୁଷ୍ଠାନରେ ସରକାରଙ୍‌କପକ୍ଷରୁ ମୋଟା ରକମର ଦରମା ନେଇ ନିଯୁକ୍ତି ପାଇଛନ୍ତି ଖେଳ ଶିକ୍ଷକ । ହେଲେ ଖେଳ ପଡ଼ିଆ ନଥିବା ଯୋଗୁଁ ପ୍ରତିଭା ବିକଶିତ ହୋଇପାରୁ ନାହିଁ ବୋଲି ସଚେତନନାଗରିକ ମହଲରେ ମତ ପ୍ରକାଶ ପାଇଛି । ପୂର୍ବରୁ କେତେକ ବିଦ୍ୟାଳୟ ଗୁଡ଼ିକରେ ଖାଲି ଯାଗା ଥିଲା । ସେଠାରେ ଛାତ୍ରଛାତ୍ରୀ ମାନେ ଖେଳକୁଦ ଅଭ୍ୟାସ କରୁଥିଲେ । କିନ୍ତୁ ସମୟ କ୍ରମେ ଖାଲି ଯାଗା କୁଡ଼ିକରେ ବିଦ୍ୟାଳୟ କୋଠା ନିର୍ମାଣ କରାଯାଉଥିବା ଯୋଗୁଁ ଖେଳ ପଡ଼ିଆ ଦିନକୁ ଦିନ ସଙ୍କୁଚିତ ହୋଇଯାଉଛି । କେତେକ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ମଧ୍ୟ ନଥିବା ଜଣାପଡ଼ିଛି । ପ୍ରତ୍ୟେକ ସପ୍ତାହରେ ବିଦ୍ୟାଳୟ ଗୁଡ଼ିକରେ ଖେଳକୁଦ ପିରିୟଡ଼ ରଖିବା ପାଇଁ ସରକାରୀ ନିୟମ ରହିଛି । ତେବେ ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଖେଳିବା ଲାଗି ଭିତିଭୂମି ନଥିଲେ ମଧ୍ୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବା ଘଟଣଶକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରୁ ବହୁ ବିଦ୍ୟାଳୟରେ ଖେଳପଡ଼ିଆ ନଥାଇ ଚାଲିଛି ଶୀତକାଳୀନ କ୍ରୀଡ଼ା ପ୍ରତିଯୋଗିତା । ଶିକ୍ଷାନୁଷ୍ଠାନ ଗୁଡ଼ିକରେ କ୍ରୀଡ଼ାର ମୂଳଦୁଆ କୁହାଯାଉଥିବା ବେଳେ ଖେଳ ପଡ଼ିଆ ନଥିବାରୁ ସରକାରଙ୍କ ଯୋଜନାର ସଫଳତା ନେଇ ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକ ଅଂଚଳର ଅଧିକାଂଶ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖେଳ ପଡ଼ିଆର ଅଭାବ ଯୋଗୁଁ ଛାତ୍ର ଛାତ୍ରୀ ମାନେ ଖେଳିବାରୁ ବଂଚିତ ହେଉଛନ୍ତି । କ୍ରୀଡ଼ାର ସାମଗ୍ରିକ ବିକାଶ ଲାଗି ଯଦି ଆନ୍ତରିକତା ଥାଏ ତେବେ ଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ଖେଳ ପଡ଼ିଆ ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବି ହେଉଥିବା ଲକ୍ଷ୍ୟ କରାଯାଉଛି । ଦେଶ ସ୍ୱାଧିନତାର ଦୀର୍ଘ ୭୨ ବର୍ଷ ପରେ ବି ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ୨୬ଟି ଉଚ୍ଚ ବିଦ୍ୟାଳୟ, ୨୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୫୬ଟି ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଭିତିଭୂମି ସୁଦୃଢ ଥିବା ଖେଳ ପଡ଼ିଆଟିଏ ନଥିବା ଯୋଗୁଁ କ୍ରୀଡ଼ାର ବିଶେଷ ଉନ୍ନତି ହୋଇପାରିନଥିବା ଅଭିଯୋଗ ହେଉଛି । ସେହିଭଳି ଖେଳାଳିଙ୍କୁ ବିଭିନ୍ନ ଖେଳର ପ୍ରଶିକ୍ଷଣ ଦେବା ପାଇଁ ଆବଶ୍ୟକୀୟ କୋଚ୍ ମଧ୍ୟ ନାହାନ୍ତି । ହିଂଜିଳିକାଟୁ ଅଂଚଳର ବହୁ ଭଲିବଲ ଖେଳାଳିମାନେ ଅତୀତରେ ରାଜ୍ୟର ବିଭିନ୍ନ ଅଂଚଳରେ ନିଜର ଖେଳ ପଦର୍ଶନ କରି ପୁରସ୍କୃତ ହେବା ସହ ଅଂଚଳର ସୁନାମ ରଖି ଆସିଥିଲେ । ବିଗତ କିଛି ବର୍ଷ ହେଲା ଭିତଭୂମିର ଅଭାବ ଯୋଗୁଁ କ୍ରୀଡ଼ାର ବିକାଶରେ ପ୍ରତିବନ୍ଧକ ସାଜିଛି । ବିଶ୍ୱ କ୍ରୀଡ଼ା ଜଗତରେ ଯେଉଁ ମହାନ ଖେଳାଳି ମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି, ସେମାନଙ୍କ କ୍ରୀଡ଼ା ଜୀବନ ବିଦ୍ୟାଳୟସ୍ତରରୁ ଆରମ୍ଭ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରାୟତଃ ସବୁ ଦେଶରେ ବିଦ୍ୟାଳୟସ୍ତରରେ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ପଦକ୍ଷେପ ନିଆଯାଇଥାଏ । ଶିକ୍ଷାବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ବହୁବିଧି ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବିଦ୍ୟାଳୟ ଗୁଡ଼ିକରେ ଖେଳ ପଡ଼ିଆ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ଶିକ୍ଷାଅଧିକାରୀ ଆଇନ ୨୦୦୯ ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟରେ ଖେଳପଡ଼ିଆ ରହିବା ଆବଶ୍ୟକ । କିନ୍ତୁ ସରକାରଙ୍କ ଏହି ଶିକ୍ଷାଧିକାର ଆଇନ ହିଂଜିଳିକାଟୁ ଅଂଚଳରେ ବାଟବଣା ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି । ହାତଗଣତି କେତେକ ବିଦ୍ୟାଳୟକୁ ଛାଡ଼ିଦେଲେ ଅନେକ ବିଦ୍ୟାଳୟରେ ପ୍ରତିନିଧିତ୍ୱ ମଧ୍ୟ ରହୁନାହିଁ । ଫଳରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗୁଡ଼ିକରେ ହିଂଜିଳିକାଟୁ ଅଂଚଳରୁ ପ୍ରତିନିଧିତ୍ୱ କମିବାରେ ଲାଗିଛି । ପଦକ ଆଶା ତ ଦୁରର କଥା ବିଭିନ୍ନକ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ବିଭିନ୍ନ ସମୟରେ ପ୍ରତିଯୋଗୀଙ୍କ ଅଭାବ ପରିଲିକ୍ଷିତ ହେଉଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖେଳ ପଡ଼ିଆ ନଥିବାରୁ କ୍ରୀଡ଼ା ପିରିୟଡ଼୍ ସମୟରେ ଶିକ୍ଷାର୍ଥୀ ମାନେ ନିଜ ନିଜ ମଧ୍ୟରେ ମଉଜ ମଜଲିସ କରୁଛନ୍ତି ତ କେତେବେଳେ ଉକ୍ତ ପିରିୟଡ଼୍‌ରେ ଅନ୍ୟ ବିଷୟରେ ପାଠ ପଢାଯାଉଛି । ସରକାରୀ ବିଦ୍ୟାଳୟ ଗୁଡ଼ିକରେ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଥିଲେ ମଧ୍ୟ ତାଲିମ କେଉଁଠି ଦେବେ ? ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ କ୍ରୀଡ଼ାର ବିକାଶ ଲାଗି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଭିତିଭୂମି ସୁଦୃଢ କରି ଖେଳ ପଡ଼ିଆ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ