‘ଅପରେସନ ଲିଓପାର୍ଡ’ ଆରମ୍ଭ
ଭୁବନେଶ୍ବର : ରାଜଧାନୀକୁ ପଶି ଆସିଥିବା କଲରାପତ୍ରିଆ ବାଘକୁ ଧରିବା ପାଇଁ ମଙ୍ଗଳବାର ସକାଳେ ‘ଅପରେସନ ଲିଓପାର୍ଡ’ ଆରମ୍ଭ ହୋଇଛି। ବାଘକୁ ଟ୍ରାଙ୍କ୍ୟୁଲାଇଜର କରିବା ପାଇଁ ନନ୍ଦନକାନନରୁ ସ୍ବତନ୍ତ୍ର ଟିମ ଆସିଥିବା ଜଣାପଡିଛି। ବାଘଟି ବିମାନ ବନ୍ଦର କିମ୍ବା ତାର ଆଖପାଖ ଅଞ୍ଚଳରେ ଛପି ରହିଥିବାର ସିଟି ଫରେଷ୍ଟ ଡିଭିଜନର କର୍ମଚାରୀମାନେ ଅନୁମାନ କରିଛନ୍ତି। ବାଘ ଲୁଚି ରହିଥିବା ସ୍ଥାନରେ ସୁରକ୍ଷାକର୍ମୀମାନେ ଘେରି ରହିଛନ୍ତି।
ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ପଳାସପଲ୍ଲୀ ଅଞ୍ଚଳରେ ଏକ କଲରାପତ୍ରିଆ ବାଘକୁ ଦେଖିବାକୁ ମିଳିଥିଲା। ବାଘଟି ଏକ ପାଚେରୀ ଡେଇଁ ଭିତରକୁ ପଶୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ମଙ୍ଗଳବାର ଭୋର ପ୍ରାୟ ୪ଟାରେ ବିମାନବନ୍ଦର ନିକଟ ଜଙ୍ଗଲ ଅଞ୍ଚଳରେ ବାଘ ବୁଲୁଥିବା ଜଣେ ସିଆଇଏସଏଫ ଯବାନ ଦେଖିଛନ୍ତି। ବାଘଟିର ବୟସ ୨ବର୍ଷ ହେବ ବୋଲି ଜଣାପଡ଼ିଛି।