ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡରେ ଚୈତନ୍ୟ ଦୁର୍ଗା ଝାଙ୍କୀ (ମେଢ଼) ଆୟୋଜିତ

ବ୍ରହ୍ମପୁର,(ଅନିଲ କୁମାର):ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ, ଶାନ୍ତି କୁଣ୍ଡ, ଗିରିରୋଡ ପ୍ରାଙ୍ଗଣରେ ପବିତ୍ର ପୌରାଣିକ, ଧାର୍ମିକ, ସାମାଜିକ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଉତ୍ସବ ସମ୍ପନ୍ନ ଦଶହରା ପର୍ବ ପାଳନ ଉପଲକ୍ଷେ ଏକ ସୁସଜ୍ଜିତ ତୋରଣ ସହ ଚୈତନ୍ୟ ଦୁର୍ଗା ଝାଙ୍କୀ(ମେଢ଼)ର ଆୟୋଜିତ ହୋଇଯାଇଅଛି । ଏହି ପର୍ବ ଭୌତିକତା ଉପରେ ଆଧ୍ୟାତ୍ମିକତା, ଅସତ୍ୟ ଉପରେ ସତ୍ୟ, ହିଂସା, ଘୃଣା ଉପରେ ପ୍ରେମ, ସ୍ନେହର ବିଜୟର ପ୍ରତୀକ ରୂପେ ମାନ୍ୟତା ପାଉଅଛି । ପ୍ରତ୍ୟେକ ବ୍ୟକ୍ତି ଉକ୍ତ ପର୍ବର ଆଧ୍ୟାତ୍ମିକ ଯଥାର୍ଥ ବୋଧକୁ ହୃଦୟଙ୍ଗମ କରି ନିଷ୍ଠାପର ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା – ଆଜିର ଦିବସର ଆହ୍ବାନ । ଏହା ସିଂହବାହିନୀ, ମହିଷା ମର୍ଦ୍ଦନୀ, ଶକ୍ତି ସ୍ବରୂପିଣୀ, ଅଭୟ ଦାୟିନୀ, ମା’ ଦୁର୍ଗା ରୂପୀ ମାତୃଶକ୍ତିର ଉପାସନାର ଏକ ଅନନ୍ୟ ପ୍ରାଚୀନ ପରମ୍ପରାକୁ ପରିପ୍ରକାଶ କରିଥାଏ । ଉପରୋକ୍ତ ଆଧ୍ୟାତ୍ମିକ ରହସ୍ୟରେ ପରିପୂର୍ଣ୍ଣ ଉକ୍ତ ଚୈତନ୍ୟ ଦୁର୍ଗା ଝାଙ୍କୀ(ମେଢ଼)କୁ ଜନସାଧାରଣ ଅପଲକ ନୟନରେ ଅବଲୋକନ କରି ଅପୂର୍ବ ଉମଙ୍ଗ, ଉତ୍ସାହ, ଆନନ୍ଦ, ଶାନ୍ତି ଏବଂ ଶକ୍ତି ପ୍ରାପ୍ତ କରିଥିଲେ । ବର୍ତ୍ତମାନ ସମୟରେ ସ୍ବୟଂ ପରମପିତା ପରମାତ୍ମା ଶିବ ଏହି ଧରାପୃଷ୍ଠରେ ଅବତରଣ କରି ଈଶ୍ବରୀୟ ବିଶ୍ବବିଦ୍ୟାଳୟ ମାଧ୍ୟମରେ ଆଧ୍ୟାତ୍ମିକ ଜ୍ଞାନ ଏବଂ ସହଜ ରାଜଯୋଗର ଶିକ୍ଷାପ୍ରଦାନ ଦ୍ବାରା ଆମ ସମସ୍ତଙ୍କ ମନରୁ କଳୁଷିତ, ବିକାରଯୁକ୍ତ, ଦୁର୍ଭାବନାକୁ ସମୂଳେ ବିନାଶ କରି ଏକ ସତ୍ୟ ସ୍ବର୍ଗ ରାଜ୍ୟର ସ୍ଥାପନା ରୂପୀ ଦିବ୍ୟ କର୍ତ୍ତବ୍ୟ କରି ଆସୁଛନ୍ତି । ଏଣୁ ସମସ୍ତ ମାନବ ସମାଜ ନିଜର କଲ୍ୟାଣ ସକାଶେ ନିଜ ମନର ଆସୁରୀ ପ୍ରବୃତ୍ତିକୁ ସମୂଳେ ସଂହାର କରିପାରିଲେ ଉକ୍ତ ପର୍ବ ପାଳନର ଯଥାର୍ଥତା ପ୍ରତିପାଦନ ହେବ । ଏହି ଅବସରରେ ବ୍ରହ୍ମକୁମାରୀସ୍ ଗଞ୍ଜାମ ଓ ଗଜପତି ସହ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ଭଗିନୀ ମାଳାଙ୍କ ଉପସ୍ଥିତିରେ ସହସ୍ରାଧିକ ବ୍ରହ୍ମପୁରବାସୀ ଜନସାଧାରଣ ଚୈତନ୍ୟ ଦୁର୍ଗା ଝାଙ୍କୀ(ମେଢ଼)ର ଅବଲୋକନ କରିବା ସହ ଏହି ପର୍ବର ଆଧ୍ୟାତ୍ମିକ ଗୁଢ଼ ରହସ୍ୟକୁ ହୃଦୟଙ୍ଗମ କରିଥିଲେ ତଥା ବିଶ୍ବ ନବନିର୍ମାଣ ଆଧ୍ୟାତ୍ମିକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ