ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ଡ୍ରିଲରେ କୌଶଳ ପ୍ରଦର୍ଶନ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଧୋବାଡି ଗ୍ରାମ ନିକଟସ୍ଥ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରାବାସ ନିକଟରେ ଚାଲିଥିବା ୧୦ ଦିବସୀୟ ଏନ୍ସିସି କ୍ୟାଡେଟ୍ ମାନଙ୍କ ବାର୍ଷିକ ତାଲିମ୍ ଶିବିର କାର୍ଯ୍ୟକ୍ରମ ଅବସରରେ ଗୁରବାର ଏକ ମକ୍ଡ୍ରିଲ୍ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ମକ୍ଡ୍ରିଲ୍ ଓ ସଚେତନତା କାର୍ଯ୍ୟକ୍ରମରେ ଆସିକା ଅଗ୍ନିଶମ ସେବା କେନ୍ଦ୍ରର ମୁଖ୍ୟ ଆଗ୍ନିକ ପ୍ରଶାନ୍ତ କୁମାର ମହାପାତ୍ର ଓ ଅଶୋକ କୁମାର ବାରିକ, ଗାଡିଚାଳକ ଜଟକିଶୋର ହାତୀ, ଆଗ୍ନିକ ରଂଜନ କୁମାର ଭୋଇ ଓ ପ୍ରକାଶ କହଁର ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଏନ୍ସିସି ଅଫିସର ଓ କ୍ୟାଡେଟ୍ ମାନଙ୍କୁ ନିଆଲିଭା ଅଭ୍ୟାସ ସହ ହଠାତ୍ ନିଆଁ ଲାଗିଲେ କିପରି ସେଥିରୁ ନିଜକୁ ରକ୍ଷା କରିବା ଓ ଅନ୍ୟକୁ ସୁରକ୍ଷା ଦେବା, ଉଚ୍ଚ ସ୍ଥାନରେ ଥିବା ବ୍ୟକ୍ତିଙ୍କୁ କିପରି ରକ୍ଷା କରିବା, ନିଆଁକୁ କିପରି ଆୟତ୍ତ କରିବା, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ସମେତ ବିଭିନ୍ନ ବିଷୟ ଉପରେ ସଚେତନ ଓ ତାଲିମ୍ ପ୍ରଦାନ କରାଯିବା ସାଙ୍ଗକୁ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛାତ ଉପରୁ ସିଢି ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର, ରସି ସାହାଯ୍ୟରେ ଜନସାଧାରଣଙ୍କୁ ଉଦ୍ଧାର, ତୈଳଜାତୀୟ ନିଆଁକୁ ସିଓଟୁ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ଲିଭାଇବା, ଅମ୍ଳଜାନ ନଥିବା ସ୍ଥାନକୁ ଯାଇ କୃତ୍ରିମ ଶ୍ୱାସପ୍ରଶ୍ୱାସ ନଳୀ ବ୍ୟବହାର କରି ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ବୁଡି ଯାଉଥିବା ଲୋକଙ୍କୁ ବନ୍ୟା ସମୟରେ କିଭଳି ଉଦ୍ଧାର କରିବା ସେ ସଂକ୍ରାନ୍ତରେ ବିଭିନ୍ନ କୌଶଳ ମାଧ୍ୟମରେ ମକ୍ଡ୍ରିଲ୍ ପ୍ରଦର୍ଶନ କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବ୍ରହ୍ମପୁର ନେଭାଲ୍ ୟୁନିଟର କମାଣ୍ଡିଂ କମାଣ୍ଡର ନିଲୁରି ବିଜୟା ଫନେନ୍ଦ୍ର ସ୍ୱାମୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଅଗ୍ନି ନିରାପତ୍ତା ସଚେତନତା ମକ୍ଡ୍ରିଲ୍ କାର୍ଯ୍ୟକ୍ରମରେ ଏନ୍ସିସି ଅଫିସର କୈଳାଶ ଚନ୍ଦ୍ର ଦୌଡ, ସୁବଳ ପ୍ରଧାନ, ଆର୍.ବାଲରାଜୁ, ଚନ୍ଦନ କୁମାର ରଣା, ସଂଜୟ କୁମାର ଜାଲି, ଅଜୟ କୁମାର ବେହେରା, ଆର୍.ରମେଶ, ବାବୁ ନାୟକ, ଦୀପକ ଯାଦବ, ସୂର୍ଯ୍ୟନାରାୟଣ ମିଶ୍ର, ବସନ୍ତ କୁମାର ବେହେରାଙ୍କ ସମେତ ବହୁ ଏନ୍ସିସି କ୍ୟାଡେଟ୍ ଉପସ୍ଥିତ ରହି ଅଗ୍ନିକାଣ୍ଡ ସମୟରେ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ବିଭିନ୍ନ କୌଶଳ ଓ ପ୍ରତିଷେଧକ ସତର୍କ ପଦକ୍ଷେପ ସଂକ୍ରାନ୍ତରେ ଜ୍ଞାନ ଆହରଣ କରିଥିବା ଦେଖିବାକୁ ମିଳିଥିଲା । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ମୁକାବିଲା ସମୟରେ ଶୂନ୍ୟ ଜୀବନହାନି ଓ କ୍ଷୟକ୍ଷତି ହ୍ରାସ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯିବା ସହ ଧୈର୍ଯ୍ୟ ଓ ସାହସର ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଓ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟକୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ଆହ୍ୱାନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏନ୍ସିସି କ୍ୟାଡେଟ୍ ମାନଙ୍କ ଏହି ୧୦ ଦିବସୀୟ ବାର୍ଷିକ ତାଲିମ୍ ଶିବିରରେ ରାଜ୍ୟର ପୁରୀ, ପାରଳାଖେମୁଣ୍ଡି, ଚିଲିକା, ବ୍ରହ୍ମପୁର, ଗୋପାଳପୁର, ଆସିକା, ଭଂଜନଗର, ରମ୍ଭା ସମେତ ବିଭିନ୍ନ ଅଞ୍ଚଳରେ ଥିବା ୧୨ଟି ହାଇସ୍କୁଲର ପ୍ରାୟ ୩୨୦ରୁ ଉର୍ଦ୍ଧ୍ୱ ଏନ୍ସିସି କ୍ୟାଡେଟ୍ ଯୋଗଦେଇଥିବା ଜଣାପଡିଛି ।