ସାମ୍ବାଦିକଙ୍କ ଭତ୍ତା ଓ ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

ଗାଙ୍ଗପୁର,(ସନ୍ତୋଷ କୁମାର ମିଶ୍ର): ସାମ୍ବାଦିକମାନଙ୍କ ଭତ୍ତା, ସୁରକ୍ଷା ଓ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ଦାବି ନେଇ ଭଏସ ଅଫ ମିଡ଼ିଆ ସଂଗଠନ ପକ୍ଷରୁ ଗୁରୁବାର ଦିନ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କୁ ସାକ୍ଷାତ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଭଏସ ଅଫ ମିଡ଼ିଆର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ୟୁନିଟ ଓ ବେଲଗୁଣ୍ଠା ୟୁନିଟର ସଦସ୍ୟମାନଙ୍କ ସହ ବେଲଗୁଣ୍ଠା ପ୍ରେସ କ୍ଲବର ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ। ଦାବିପତ୍ରରେ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ, ମାସିକ ଭତ୍ତା ପ୍ରଦାନ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ସୁବିଧା, କର୍ତ୍ତବ୍ୟ ପାଳନ ସମୟରେ ଆକ୍ରମଣ ଘଟିଲେ ତ୍ୱରିତ ଆଇନଗତ ପଦକ୍ଷେପ, ସାମ୍ବାଦିକ କଲ୍ୟାଣ ପାଣ୍ଠିର ସୁଦୃଢ଼ୀକରଣ ଏବଂ ଗ୍ରାମାଞ୍ଚଳର ସାମ୍ବାଦିକମାନଙ୍କୁ ସମାନ ସୁବିଧା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ସାମିଲ ରହିଛି।ଭଏସ ଅଫ ମିଡ଼ିଆ ପକ୍ଷରୁ କୁହାଯାଇଛି ଯେ, ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜକୁ ନିରପେକ୍ଷ ଓ ସତ୍ୟ ସୂଚନା ପ୍ରଦାନ କରୁଥିବାରୁ ସେମାନଙ୍କ ସୁରକ୍ଷା, ସମ୍ମାନ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ।ସଂଗଠନ ଆଶା ପ୍ରକାଶ କରିଛି ଯେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ନ୍ୟାୟସଙ୍ଗତ ଦାବିକୁ ସକାରାତ୍ମକ ଭାବେ ବିଚାର କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଏହି ଦାବିଗୁଡ଼ିକର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ଭଏସ ଅଫ ମିଡ଼ିଆ ପକ୍ଷରୁ ରାଜ୍ୟବ୍ୟାପୀ ବୃହତ୍ତର ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।ଏହି ଅବସରରେ ଭଞ୍ଜନଗର ୟୁନିଟର କାର୍ତ୍ତିକେଶ୍ୱର ପ୍ରଧାନ, ବେଲଗୁଣ୍ଠାର ୟୁନିଟର ପ୍ରଭାତ କୁମାର ସାହୁ, ସୁଯ୍ୟନାରାୟଣ ତ୍ରିପାଠୀ, ସଦାଶିବ ପାଣିଗ୍ରାହୀ, ଶିବରାମ ଚୌଧୁରୀଙ୍କ ସମେତ ଭଏସ ଅଫ ମିଡ଼ିଆର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଏଥିସହ ରାଜ୍ୟ କାର୍ଯ୍ୟନିର୍ବାହୀ ଅରୁଣ କୁମାର ଗୌଡ଼ କହିଛନ୍ତି ଯେ, ରାଜ୍ୟ ସ୍ତରରେ ଦାବି ପୂରଣ ନ ହେଲେ ଖୁବଶୀଘ୍ର ଏହି ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ମଧ୍ୟ ଅବଗତ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ