୬ ମାସରେ ୨୦ ମନ୍ଦିର ଚୋରି: ପୋଲିସ ହାତ ଖାଲି

କାକଟପୁର,(ଶୁଭାଶିଷ ଖଣ୍ଡୁଆଳ): ପୁରୀ ଜିଲ୍ଲାରେ ମନ୍ଦିର ଚୋରି ଏବେ ନିତ୍ୟ ଘଟଣା ପାଲଟିଛି। ଗତ ୬ ମାସ ମଧ୍ୟରେ ଅସ୍ତରଙ୍ଗ, କାକଟପୁର ଓ କୋଣାର୍କ ଥାନା ଅଂଚଳରୁ ୨୦ରୁ ଉର୍ଦ୍ଧ ମନ୍ଦିରରେ ଚୋରି ହୋଇସାରିଲାଣି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ତିନି ଥାନା ପୋଲିସ ମିଶି ଆଜି ପର୍ଯ୍ୟନ୍ତ ଗୋଟିଏ ବି ଚୋରକୁ ଧରିପାରିନାହାନ୍ତି। ଲାଗୁଛି ଚୋରମାନଙ୍କ ପାଇଁ ଏହି ଅଂଚଳ ସମ୍ପୂର୍ଣ୍ଣ ସୁରକ୍ଷିତ କରିଡର ହୋଇଯାଇଛି।ବିଶେଷତଃ ଅସ୍ତରଙ୍ଗ ଥାନା ଅଂଚଳରେ ଅଧିକ ଚୋରି ବୃଦ୍ଧି ପାଇଛି। ପୋଲିସ ନିଷ୍କ୍ରିୟ।
ସର୍ବଶେଷ ଘଟଣା ଘଟିଛି କୋଣାର୍କ ଥାନା ଅଧୀନ କାକଟପୁର ବ୍ଲକର କୁରୁଜଙ୍ଗ ଗ୍ରାମର ରାଧାକୃଷ୍ଣ ମନ୍ଦିରରେ। ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଠାକୁରଙ୍କ ଦେହରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟିନେଇଯାଇଛନ୍ତି। ରାଧାକୃଷ୍ଣଙ୍କ ରୁପା ବଇଁଶୀ, ରାଧାଙ୍କ ପାଉଜି, ଘଣ୍ଟ ସହ ଦାନ ପେଟିରୁ ୨୫ ହଜାର ଟଙ୍କା ବି ନେଇଯାଇଛନ୍ତି। ସକାଳେ ପୂଜା ପଣ୍ଡା ଆସି ତାଲା ଭଙ୍ଗା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା। ନିଷାଡିଙ୍କ ହାତ ଥିବା ସନ୍ଦେହ କରି ସନ୍ଧାନୀ କୁକୁର ମଧ୍ୟ ଡକାଗଲା। କୁକୁର ଆସିଲା, ଘାଣ୍ଟିଲା, ବୁଲିଲା କିନ୍ତୁ ଚୋର ପତ୍ତା ନାହିଁ। ଫଳ ସମାନ – ଖାଲି ହାତ। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ସିଧା। ଗତ ୬ ମାସରେ ଅସ୍ତରଙ୍ଗ ଅଂଚଳରେ ୬ରୁ ଉର୍ଦ୍ଧ, କାକଟପୁରେ ଏକାଧିକ ମନ୍ଦିର ରୁ ଚୋରି ହେଲା। ପ୍ରତ୍ୟେକ ଥର ପୋଲିସ ଆସିଲା, ମାମଲା ରୁଜୁ କଲା, ଫଟୋ ଉଠାଇଲା ଆଉ ଚାଲିଗଲା। ତଦନ୍ତ ଫାଇଲରେ ଏବେ ଧୂଳି ଲାଗିଲାଣି। ଚୋର ଧରିବାରେ ତିନି ଥାନା ପୋଲିସର ରେକର୍ଡ ଶୂନ। ଲୋକେ କହୁଛନ୍ତି, “ପୋଲିସ ଯଦି ପ୍ରଥମ ଚୋରି ବେଳେ ତତ୍ପରତା ଦେଖାଇଥାନ୍ତା ତେବେ ଆଜି ୨୦ ନମ୍ବର ମନ୍ଦିର ଚୋରି ହୋଇନଥାନ୍ତା। ଏବେ ଚୋରମାନେ ବୁଝିଗଲେଣି ଏଠି ଧରାପଡିବାର ଭୟ ନାହିଁ। ତେଣୁ ସେମାନଙ୍କ ମନୋବଳ ଦିନକୁ ଦିନ ବଢୁଛି।” କୁରୁଜଙ୍ଗ ଘଟଣା ପରେ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀଙ୍କ ଦାବି ହେଲା ଖୁବଶୀଘ୍ର ସମସ୍ତ ମନ୍ଦିର ଚୋରି ମାମଲାର ଖୁଲାସା ହେଉ। ଅଭିଯୁକ୍ତଙ୍କୁ ଗିରଫ କରାଯାଉ। ନଚେତ ଆଗକୁ ଆଉ ବଡ ଅଘଟଣ ଘଟିବ। ଏ ନେଇ କୋଣାର୍କ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ପ୍ରଶ୍ନ ଉଠୁଛି, ଯେଉଁ ପୋଲିସ ୬ ମାସରେ ୨୦ଟା ଚୋରିର ସୁରାକ ବାହାର କରିପାରୁନି, ସେ କେମିତି ଲୋକଙ୍କ ସୁରକ୍ଷା ଦେବ? ସନ୍ଧାନୀ କୁକୁର ଆସୁଛି, ଅଫିସର ଆସୁଛନ୍ତି, କିନ୍ତୁ ଚୋର ଫେରାର। ଲାଗୁଛି ପୋଲିସର ତଦନ୍ତ କେବଳ କାଗଜ କଲମରେ ସୀମିତ। ଡିଜିଟାଲ ଯୁଗରେ ସିସିଟିଭି, ଗସ୍ତି, ଗୁପ୍ତଚର ସବୁ ଥାଇ ବି ଯଦି ଚୋର ଧରାପଡୁନାହାନ୍ତି, ତେବେ ଏହା ପୋଲିସର ବିଫଳତା ନୁହେଁ ତ ଆଉ କ’ଣ? ଜନତା ଏବେ ଉତ୍ତର ମାଗୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ