କଳପଡା ବଜାରରୁ ଦୋକାନ ଉଚ୍ଛେଦ ପ୍ରସଙ୍ଗ : ଜମି ବେପାରୀଙ୍କ ସହ ହାତମିଳାଇଛନ୍ତି ତହସିଲଦାର

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଳପଡ଼ା ବଜାରରେ କେତେକ ଶିକ୍ଷିତ ଯୁବକ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା ହୋଇଥିବାରୁ ଶିକ୍ଷିତ ଯୁବଗୋଷ୍ଠୀ ବ୍ୟବସାୟ ଉପରେ ନିର୍ଭର କରି ନିଜର ଭବିଷ୍ୟତ ଗଠନ କରିବା ଛଡା ଅନ୍ୟ କୌଣସି ପନ୍ଥା ନାହିଁ। କିନ୍ତୁ ଏହି ବ୍ୟବସାୟୀଙ୍କ ଉପରେ ଦାଉ ସାଜିଛନ୍ତି ବଗଡ଼ା ରାଜସ୍ୱ ନୀରିକ୍ଷକ, ତହସିଲଦାର ଓ ଉପଜିଲ୍ଲାପାଳ। କାରଣ ରାଜସ୍ୱ ନିରୀକ୍ଷକ, ତହସିଲଦାର ଓ ଉପଜିଲ୍ଲାପାଳ ଜମି ବେପାରୀଙ୍କ ସହ ହାତ ମିଳାଇଛନ୍ତି। ଜମି ବେପାରୀମାନେ ନିଜ ଜମିରେ ମାର୍କେଟ୍ କଂପ୍ଲେକ୍ସ କରିବା ପାଇଁ ଯୋଜନା କରିଛନ୍ତି। ମାର୍କେଟ କଂପ୍ଲେକ୍ସକୁ ଯିବା ଆସିବା କରିବା ପାଇଁ ଏହି ଦୋକାନ ଗୁଡିକ ସମସ୍ୟା ସୃଷ୍ଟି କରୁଥିଲା। ତେଣୁ ଦୋକାନୀଙ୍କୁ ହଟାଇବା ପାଇଁ ଜମି ବେପାରୀମାନେ ରାଜସ୍ୱ ନିରୀକ୍ଷକ ଏବଂ ତହସିଲଦାରଙ୍କ ସହ ହାତ ମିଳାଇଥିଲେ। ଜମି ବେପାରୀଙ୍କ ଇସାରାରେ ଏହି ଉଚ୍ଛେଦ କରାଯାଇଛି ବୋଲି ବିଜେପି ଜିଲ୍ଲା ସଭାନେତ୍ରୀ ଡ. ଜ୍ୟୋତ୍ସ୍ନାରାଣୀ ଜେନା ଜିଲ୍ଲାପାଳ ରଘୁରାମ ଆର.ଆୟରଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରାପଡ଼ା ସହରରେ ବେପାରୀମାନେ ରାସ୍ତାକୁ ଜବରଦଖଲ କରି ରଖିଛନ୍ତି। ହେଲେ ତାହାକୁ ଉଚ୍ଛେଦ କରାଯାଉ ନାହିଁ। କିନ୍ତୁ କଳପଡ଼ା ଭଳି ଏକ ଗ୍ରାମାଞ୍ଚଳ ବଜାରରେ ଶିକ୍ଷିତ ଯୁବକମାନେ ଚାକିରି ନ ପାଇ ପାନ ଦୋକାନ, ମାଛ ଦୋକାନ, ପରିବା ଦୋକାନ, ଫଳ ଦୋକାନ, ଫାଷ୍ଟ ଫୁଡ ଦୋକାନ, ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ସେମାନଙ୍କ ଉପରେ ପ୍ରଶାସନ ଦାଉ ସାଜୁଛି। ଯାହା ଅତ୍ୟନ୍ତ ବେଆଇନ୍ କାର୍ଯ୍ୟ। ପ୍ରଶାସନ ପକ୍ଷରୁ ଯଦି ଏହି ଉଚ୍ଛେଦକୁ ବନ୍ଦ କରା ନ ଯାଏ ତେବେ ମୁଖ୍ୟମନ୍ତ୍ରୀଙ୍କ ନକଟରେ ଅଭିଯୋଗ କରିବା ପାଇଁ ହଜାର ହଜାର ମହିଳାଙ୍କ ସହ ଡ. ଜେନା ପଦଯାତ୍ରା କରି ରାଜଧାନୀ ଯିବେ ବୋଲି କହିଛନ୍ତି। ସେ କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା। ଏଠାରେ ଶିଳ୍ପ କାରଖାନା ନାହିଁ। ଯୁବକମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ୨୪ ବର୍ଷ ମଧ୍ୟରେ ବିଜେଡି ସରକାର କେନ୍ଦ୍ରାପଡ଼ା ଯୁବପିଢିଙ୍କ ପାଇଁ କଳକାରଖାନା କରିପାରିଲେ ନାହିଁ। ତେଣୁ ଯୁବପିଢି ଛୋଟ ମୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏହା ମଧ୍ୟରେ ତହସିଲଦାର ଓ ଉପଜିଲ୍ଲାପାଳ ଏହି ଯୁବକମାନଙ୍କ ପେଟକୁ ନାତ ମାରିଛନ୍ତି ବୋଲି ସେ କହିଛନ୍ତି। ଯେଉଁମାନଙ୍କର ଦୋକାନ ଉଚ୍ଛେଦ ହୋଇଛି ସେମାନେ ଅଭିଯୋଗ କରିଛନ୍ତି ଯେ ଜମି ମାଫିଆଙ୍କୁ ସହଯୋଗ କରିବା ପାଇଁ ଆର.ଆଇ, ତହସିଲଦାର ଓ ଉପଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ଚାକିରି ସୁଯୋଗ ନ ମିଳିବାରୁ ଆମେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲୁ। ହେଲେ ଏହି ଅଧିକାରୀମାନେ ଆମ ଦୋକାନ ଉଚ୍ଛେଦ କରିଛନ୍ତି। ଏହାଦ୍ୱାରା ଆମେ ବେକାର ହୋଇଯିବୁ। ଫଳରେ ଆମ ପରିବାରର ଅର୍ଥନୈତିକ ସ୍ଥିତି ଦୋହଲି ଯିବ। ଆମେ କିପରି ପରିବାର ପ୍ରତିପୋଷଣ କରିବୁ ବୋଲି ଯୁବ ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ