ଆସିକା ଋଷିକୁଲ୍ୟା ନଦୀରେ ବୋଇତ ବନ୍ଦାଣ ଉତ୍ସବ
ଆସିକା, (ଯୁଗାବ୍ଦ ନ୍ୟୁଜ):ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆସିକାର ଋଷିକୁଲ୍ୟା ନଦୀରେ ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଶେଷ ହୋଇଛି । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଋଷିକୁଲ୍ୟା ନଦୀରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଶୁକ୍ରବାର ଭୋର ସମୟରୁ ଶ୍ରଦ୍ଧାଳୁ ଭକ୍ତମାନେ ଋଷିକୁଲ୍ୟା ନଦୀକୂଳରେ ଉପସ୍ଥିତ ରହି ପୂଜାର୍ଚ୍ଚନା ସାରି କଦଳୀ ପାଟୁଙ୍ଗା ଓ ସୋଲରେ ନିର୍ମିତ ରଙ୍ଗବେରଙ୍ଗର ବୋଇତକୁ ବନ୍ଦାପନା ପୂର୍ବକ ନଦୀରେ ଭସାଇଥିଲେ । ଋଷିକୁଲ୍ୟା ନଦୀରେ ବୋଇତ ବନ୍ଦାଣ, ଭସାଣି, ଆତସବାଜି ଫୁଟାଇବା ସାଙ୍ଗକୁ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆସିକା ଏନ୍ଏସି ଅଧୀନସ୍ଥ ବିଭିନ୍ନ ସାହିବସ୍ତି ଓ ମନ୍ଦିର ଗୁଡିକରେ ଅଷ୍ଟପ୍ରହର ନାମଯଜ୍ଞ ଚାଲୁ ରହିଥିବା ଦେଖିବାକୁ ମିଳିଥିଲା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ଥିଲେ । କାର୍ତ୍ତିକ ପୂର୍ଣ୍ଣିମା ପଞ୍ଚୁକ ବ୍ରତର ଅନ୍ତିମ ଦିବସ ହୋଇଥିବାରୁ ଶ୍ରଦ୍ଧାଳୁମାନେ ଋଷିକୂଲ୍ୟା ନଦୀରେ ସ୍ନାନ ସାରି ମହାପୁଣ୍ୟ ଅର୍ଜନ କରିବା ଲକ୍ଷ୍ୟରେ ଦେବ ଦର୍ଶନ କରିଥିଲେ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଦେବାଳୟ ଗୁଡିକରେ ଭକ୍ତଙ୍କ ଅସମ୍ଭବ ଭିଡ ଲାଗି ରହିଥିଲା ବେଳେ ହବିଷିଆଳୀ ମାନଙ୍କ ମାସିକ କାର୍ତ୍ତିକ ବ୍ରତ ଶୁକ୍ରବାର ଉଦ୍ଯାପନ କରିଥିବା ଲକ୍ଷ୍ୟ କରାଯାଇଛି । ଅପରପକ୍ଷରେ ଶୁକ୍ରବାର ଶ୍ରଦ୍ଧାଳୁ ମହିଳା ମାନେ ନିଷ୍ଠାର ସହ ପାଳନ କରିଛନ୍ତି କେଦାର ବ୍ରତ । ଏହି ଅବସରରେ ସୂତାରେ ତିଆରି ବ୍ରତ, ଖିଅ, ବଟଉତ୍ସ, ଧାନଗଛ, ଅପମାରଙ୍ଗ, ବଜ୍ରମୂଳୀ, ଆଖୁଗଛ, ଦୁବ, ଓଲଗଛ ଇତ୍ୟାଦିକୁ ନେଇ ମହିଳା ମାନେ ପୂଜାର୍ଚ୍ଚନା କରିଥିଲେ । ଆ କା ମା ବୈ, ପାନ ଗୁଆ ଥୋଇ….. ଏହି ଗୀତ ଗାଇ ଆଜି ଭୋର ରୁ ଆସିକାର ଋଷିକୁଲ୍ୟା ନଦୀ ସମେତ ବିଭିନ୍ନ ଜଳାଶ୍ରୟରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ ଭକ୍ତ । ଏଥି ସହ ମନେ ପକାଇଛନ୍ତି ଆମ ମହାନ୍ ଉତ୍କଳୀୟ ନୌ ବାଣିଜ୍ୟ ପରମ୍ପରାକୁ । ବୋଇତ ବନ୍ଦାଣ କରି କାର୍ତ୍ତିକ ପୂର୍ଣ୍ଣିମା ପାଳିଛନ୍ତି । ଏହା ପରେ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ଭୋର ସମୟରୁ ନଦୀ, ପୋଖରୀ ଓ ଜଳାଶ୍ରୟ ଗୁଡିକ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା ।